ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷରେ ଆଣ୍ଡରସନ

ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଆଇସିସି ଟେଷ୍ଟ୍‍ ବୋଲର ମାନ୍ୟତାର ଶୀର୍ଷ ସ୍ଥାନ ପୁଣି ହାସଲ କରିଛନ୍ତି। ୩୫ ବର୍ଷ ବୟସ୍କ ଆଣ୍ଡରସନ୍‍ ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ାଙ୍କୁ ପଛରେ ପକାଇ ଦେଇଛନ୍ତି। ଇଂଲଣ୍ଡ କ୍ରିକେଟ ଇତିହାସରେ ସଫଳତମ ଟେଷ୍ଟ ବୋଲର ଆଣ୍ଡରସନ୍‍ ୧୩୮ଟି ଟେଷ୍ଟମ୍ୟାଚ୍‍ରୁ ୫୪୦ଟି ୱିକେଟ ନେଇଛନ୍ତି।

ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟିଂ ତାଲିକାରେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ୩୦ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ ବ୍ୟାଟିଂ ତାଲିକାର ୭ମ ସ୍ଥାନକୁ ଉଠିଛନ୍ତି। ଏଥିସହ ସେ ଶ୍ରୀଲଙ୍କାର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେହିଭଳି କରୁଣାରତ୍ନେଙ୍କ ସାଥୀ ଖେଳାଳି ଦୀନେଶ ଚାଣ୍ଡିମଲ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ରହିଛନ୍ତି।

ବ୍ୟାଟିଂ ତାଲିକାର ଟପ୍‌-୫ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଷ୍ଟିଭେନ ସ୍ମିଥ୍‌, ବିରାଟ କୋହଲି, ଜୋ ରୁଟ୍‌, କାନେ ଓ୍ବିଲିୟମସନ ଓ ଡେଭିଡ୍‌ ଓ୍ବାର୍ନର ଯଥାକ୍ରମେ ପ୍ରଥମରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି। ଚେତେଶ୍ୱର ପୂଜାରା, ଏଡିନ୍‌ ମାର୍କରାମ ଓ ଡିନ୍‌ ଏଲ୍‌ଗାର ଯଥାକ୍ରମେ ୬ଷ୍ଠ, ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି।

ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡାଙ୍କୁ ପଛରେ ପକାଇ ଆଣ୍ଡରସନ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଭାରତର ରବୀନ୍ଦ୍ର ଜାଡେଜା, ଭର୍ନନ ଫିଲାଣ୍ଡର ଓ ରବିଚନ୍ଦ୍ରନ ଅଶ୍ୱିନ ଯଥାକ୍ରମେ ୨ୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜ ପରେ ଅବସର ନେବେ ବୋଲି ଘୋଷଣା କରିଥିବା ରଙ୍ଗନା ହେରାଥ୍‌ ପୂର୍ବବତ୍‌ ୮ମ ସ୍ଥାନରେ ରହିଛନ୍ତି।

 

ପଢନ୍ତୁ;୨୦୧୫ ଦଙ୍ଗା ମାମଲା: ହାର୍ଦ୍ଦିକ୍‌ ପଟେଲ ଦୋଷୀ ସାବ୍ୟସ୍ତ,୨ ବର୍ଷ ଜେଲ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More