ସୁପ୍ରିମକୋର୍ଟର ୪୫ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ମିଶ୍ରଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୨, ୨୦୧୮ ଯାଏଁ ଏହି ପଦରେ ରହିବେ । ତୃତୀୟ ଓଡ଼ିଆ ଭାବେ ଜଷ୍ଟିସ୍ ମିଶ୍ର ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଛନ୍ତି ।
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାମ କରୁଥିବାବେଳେ ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୧୦, ୨୦୧୧ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପୂର୍ବରୁ ସେ ପାଟନା ଓ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦ୍ୱାୟିତ୍ୱ ତୁଲାଇଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇଥିବା ଜଷ୍ଟିସ ମିଶ୍ର ଏବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦାଇତ୍ଵ ତୁଲାଇବେ ।
ଜଷ୍ଟିସ୍ ମିଶ୍ରଙ୍କ ପୂର୍ବରୁ ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଏବଂ ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ଜଷ୍ଟିସ୍ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚରାପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ପୁତୁରା। ଜଷ୍ଟିସ୍ ମିଶ୍ର ୧୯୯୬, ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଓ ୧୯୯୭ ଡିସେମ୍ବର ୧୯ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ସେ। ସୁପ୍ରିମକୋର୍ଟ ବିଚାରପତି ହେବା ପୂର୍ବରୁ ସେ ୨୦୦୯ ଡିସେମ୍ବରରେ ପାଟନା ହାଇକୋର୍ଟ ଓ ୨୦୧୦ ମେ ୨୪ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।