Loading...

କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବା ଏକ ବ୍ୟକ୍ତିଗତ କଳା

କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବା ଏକ ବ୍ୟକ୍ତିଗତ କଳା

ସହକର୍ମୀଙ୍କ ସହିତ ଯଦି କୌଣସି କଥାକୁ ନେଇ ଅବା କାମ ପାଇଁ କେବେ ମତଭେଦ ହୋଇଥାଏ ତେବେ ସେନେଇ ସିନିୟରଙ୍କ ଆଗରେ ଭୁଲ୍‌ରେ ବି ଅଭିଯୋଗ କରନ୍ତୁ ନାହିଁ।

ଭଲ କ୍ୟାରିୟର ପାଇଁ ପରିଶ୍ରମ ତ ନିହାତି ଜରୁରୀ। ଏହା ସହିତ ଅଫିସରେ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହୋଇଥାଏ। ନଚେତ ଏକ ସୁସ୍ଥ ପରିବେଶରେ କାମ କରିବା ଅତ୍ୟନ୍ତ କଷ୍ଟକର। ଏହି ଦୃଷ୍ଟିରୁ ବିଚାର କଲେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରଖିବା ଏକ ବ୍ୟକ୍ତିଗତ କଳା। ମାତ୍ର କେବେକେବେ ଭୁଲ୍‌ ବୁଝାମଣା ହେଉ ଅଥବା କୌଣସି ମତଭେଦ କାରଣରୁ ସହକର୍ମୀଙ୍କ ସହିତ ସମ୍ପର୍କ ଖରାପ ହୋଇଯାଏ। ଏଭଳି ସ୍ଥିତିରେ କୌଣସି ଭୁଲ୍‌ ପଦକ୍ଷେପ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଅଫିସରେ ଏଭଳି ପରିସ୍ଥିତି କ୍ୟାରିୟର ଉପରେ ବି ପ୍ରଭାବ ପକାଇପାରେ। ତେଣୁ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବା ନିହାତି ଜରୁରୀ। କୌଣସି କାରଣରୁ ଯଦି ସମ୍ପର୍କ ଖରାପ ହୋଇଥାଏ ତା’ହେଲେ କୌଣସି ଭୁଲ୍‌ ପଦକ୍ଷେପ ନିଅନ୍ତୁ ନାହିଁ। ନଚେତ୍‌ ସମ୍ପର୍କ ଆହୁରି ଖରାପ ହୋଇପାରେ। ସେଥିପାଇଁ ସତର୍କ ରହିବାକୁ ହେବ। 


ଅଭିଯୋଗ କରନ୍ତୁ ନାହିଁ:  

ସହକର୍ମୀଙ୍କ ସହିତ ଯଦି କୌଣସି କଥାକୁ ନେଇ ଅବା କାମ ପାଇଁ କେବେ ମତଭେଦ ହୋଇଥାଏ ତେବେ ସେନେଇ ସିନିୟରଙ୍କ ଆଗରେ ଭୁଲ୍‌ରେ ବି ଅଭିଯୋଗ କରନ୍ତୁ ନାହିଁ। ବରଂ ଉଭୟ ମିଳିମିଶି କଥାବାର୍ତ୍ତା ହୋଇ ପରସ୍ପର ମଧ୍ୟରେ ଥିବା ଭୁଲ୍‌ ବୁଝାମଣାକୁ ଦୂର କରନ୍ତୁ। ଅଭିଯୋଗ କରିବା ଫଳରେ କୌଣସି ସମାଧାନ ବାହାରିବା ବଦଳରେ ସମ୍ପର୍କ ଆହୁରି ଖରାପ ହୋଇପାରେ। ତେଣୁ ଏଭଳି ସ୍ଥିତିରେ ଆପଣ ଅଭିଯୋଗ କରିବା ବଦଳରେ ସମାଧାନର ରାସ୍ତା କଥା ହିଁ ଚିନ୍ତା କରନ୍ତୁ। 
ସିଧା କଥା ହୁଅନ୍ତୁ:  

ଯଦି କୌଣସି ସହକର୍ମୀଙ୍କ ସହ ଆପଣଙ୍କର ମତଭେଦ ହୋଇଥାଏ ତେବେ ସେନେଇ ତାଙ୍କ ସହିତ ସିଧା କଥା ହୁଅନ୍ତୁ। ଅଫିସରେ ସମସ୍ତେ ବନ୍ଧୁ ହୋଇ ନ ଥାନ୍ତି। ତେଣୁ ଅନ୍ୟ କେହି ଆପଣଙ୍କ ସମ୍ପର୍କକୁ ନେଇ ହୁଏତ ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି। ସିଧାସଳଖ କଥା ହେବା ଫଳରେ ଆପଣ ପରସ୍ପର ମଧ୍ୟରେ ଥିବା ମତଭେଦର କାରଣକୁ ବୁଝିପାରିବେ। ଆଉ ଯଦି କୌଣସି କାରଣରୁ ଭୁଲ୍‌ ବୁଝାମଣା ଦୂର ହୋଇପାରି ନାହିଁ ତେବେ ସମ୍ପର୍କ ଅଧିକ ଖରାପ ତ ହେବ ନାହିଁ ବରଂ ଆପଣ ସମାଧାନ ପାଇଁ ଯେଉଁ ଚେଷ୍ଟା କରିଛନ୍ତି ତା’ର ପ୍ରଭାବ କେବେ ନା କେବେ ନିଶ୍ଚୟ ପଡ଼ିବ। 
ଚର୍ଚ୍ଚା କରନ୍ତୁ ନାହିଁ:  

ଅଫିସରେ ଅନ୍ୟମାନଙ୍କ ଆଗରେ ଏହାକୁ ନେଇ କୌଣସି ପ୍ରକାରର ଚର୍ଚ୍ଚା କରିବା ଠିକ୍‌ ନୁହେଁ। ଏପରି କରିବା ଫଳରେ ଅଫିସ ଗସିପ୍‌ ଧୀରେ ଧୀରେ ବଢ଼ିଥାଏ। ପ୍ରଭାବରେ ସମ୍ପର୍କ ଭଲ ହେବା ବଦଳରେ ଆହୁରି ଖରାପ ହୋଇଥାଏ। ବେଳେବେଳେ ଅନ୍ୟମାନେ ଏହି ସ୍ଥିତିରୁ ଫାଇଦା ନେବାକୁ ବି ପଛାନ୍ତି ନାହିଁ। 
ନୈତିକତା ରଖନ୍ତୁ:  

ସହକର୍ମୀଙ୍କ ସହିତ ମତଭେଦ ହୋଇଥିଲେ ବି ନିଜ ନୈତିକତାକୁ ଭୁଲିଯିବା ଆଦୌ ଠିକ୍‌ ନୁହେଁ। ନିଜ ବିବେକ ଓ ନୈତିକତା ଆଧାରରେ ଅଫିସିଆଲ୍‌ ସମ୍ପର୍କକୁ ଭୁଲନ୍ତୁ ନାହିଁ। ଦରକାର ସମୟରେ ତାଙ୍କୁ ସାହାଯ୍ୟ ବି କରନ୍ତୁ। ଅଫିସ କାମ ଦୃଷ୍ଟିରୁ ଯଦି ଆବଶ୍ୟକ ହୁଏ ଆପଣ କଥାବାର୍ତ୍ତା କରନ୍ତୁ ଏବଂ ତାଙ୍କ ସହିତ ମତଭେଦ ହୋଇଥିବା ନେଇ ଅନ୍ୟ କାହାକୁ ବି ଅନୁଭବ କରିବାକୁ ଦିଅନ୍ତୁ ନାହିଁ। କୌଣସି ସମୟରେ ବି ତାଙ୍କ ପ୍ରତି ଆକ୍ଷେପ କରି କିଛି କଥା କୁହନ୍ତୁ ନାହିଁ ଏବଂ କୌଣସି ପ୍ରକାରର ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.