Loading...

ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ୫ମଞ୍ଚରେ ଲଢେଇ ୧୦ଟି ଅପେରା ଦଳ

ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ୫ମଞ୍ଚରେ ଲଢେଇ ୧୦ଟି ଅପେରା ଦଳ

ଖଣ୍ଡଗିରି ମାଘ ମେଳାରେ କମ୍ପିବ ଯାତ୍ରା କଳାକାରଙ୍କ ମନମତାଣିଆ ସଂଳାପ। କିଏ ଅଭିନୟର ଯାଦୁରେ ଦର୍ଶକଙ୍କୁ ହସାଇବେ ତ କାହାର ଅଭିନୟରେ ଦର୍ଶକ ଲୁହରେ ଭିଜିବେ। ଚଳିତ ମାସ ୩୦ ତାରିଖକୁ ଅପେକ୍ଷା।

ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ଜମିବ ଯାତ୍ରା ଲଢ଼େଇ। ୫ମଞ୍ଚରେ ୧୦ଟି ଅପେରା ଦଳ ସେମାନଙ୍କ ଦମ୍‌ଦାର ପ୍ରଦର୍ଶନ କରି ସଫଳତା ସାଉଁଟିବେ। ତେଣୁ ମହାମାରୀ କୋଭିଡ୍‌ ପାଇଁ ଦୁଇ ବର୍ଷର କଟକଣା ପରେ ପୁଣିଥରେ ଖଣ୍ଡଗିରି ମାଘ ମେଳାରେ କମ୍ପିବ ଯାତ୍ରା କଳାକାରଙ୍କ ମନମତାଣିଆ ସଂଳାପ। କିଏ ଅଭିନୟର ଯାଦୁରେ ଦର୍ଶକଙ୍କୁ ହସାଇବେ ତ କାହାର ଅଭିନୟରେ ଦର୍ଶକ ଲୁହରେ ଭିଜିବେ। ଚଳିତ ମାସ ୩୦ ତାରିଖକୁ ଅପେକ୍ଷା। ଏବେଠୁ ଦର୍ଶକମାନଙ୍କ ଭିତରେ ବଢ଼ିବାରେ ଲାଗିଛି ଉତ୍କଣ୍ଠା। ବଡ଼ କଥା ହେଉଛି ନୂଆ ନାଟକ ଦେଖିବାକୁ ଦର୍ଶକମାନେ ବ୍ୟାକୁଳ ହୋଇପଡ଼ିଲେଣି।ଜାନୁଆରି ୨୮ରୁ ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରିରେ ମାଘ ମେଳା ଆରମ୍ଭ ହେଉଛି। ତେବେ ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ଘାଟିକିଆ ସନାତନ ସେବା ସଦନ, ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜୟଦୁର୍ଗା ସାଂସ୍କୃତିକ ପରିଷଦ, ମା’ ମଙ୍ଗଳା ନାଟ୍ୟ ସଂସଦ, ଜାଗମରା, ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ ଏମିତି ୫ଟି ପେଣ୍ଡାଲରେ୧୦ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ। ୧୦ ତାରିଖ ପର୍ଯ୍ୟନ୍ତ ମୋଟ୍ ୧୨ରାତି ଯାତ୍ରା ପରିବେଷଣ ହେବ। ପ୍ରଥମ ପର୍ଯ୍ୟାୟରେ ଶିବାନୀ, ସୂର୍ଯ୍ୟମନ୍ଦିର ଓ ବିଶ୍ବଦରବାର ଅପେରା ଆସିବେ। ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ କଳିଙ୍ଗ ଗଣନାଟ୍ୟ, କୋଣାର୍କ, ତୁଳସୀ, ରାଜଧାନୀ ଅପେରା, ରଙ୍ଗମହଲ, ସ୍ବର୍ଣ୍ଣମହଲ ଓ ସାଇ ସମ୍ରାଟ୍‌ ଆଦି ଅପେରା ଦଳ ସେମାନଙ୍କ କିମିଆ ଦେଖାଇବେ। ପୁରୁଣା ରେକର୍ଡ ଅନୁସାରେ ସାତଶଙ୍ଖ, ଶିବାନୀ, କଳିଙ୍ଗ, ତୁଳସୀ, ପାର୍ବତୀ, ଗୌରୀ ଓ ତାରପୁର ଗଣନାଟ୍ୟ ଆଦି ଖଣ୍ଡଗିରିରେ ରାଜୁତି କରୁଥିଲେ। ଏବେ ବି ସାତଶଙ୍ଖ, ତାରପୁର, ପାର୍ବତୀ ଓ ଗୌରୀ ଗଣନାଟ୍ୟର ନାଟକର ଚିତ୍ର ଓ କଥାବସ୍ତୁ ଦର୍ଶକଙ୍କ ମନରୁ ଲିଭିନାହିଁ। କିନ୍ତୁ ସାତଶଙ୍ଖ ଓ ତାରପୁର ଅପେରା ବନ୍ଦ ହୋଇଯାଇଥିବା ବେଳେ ଏବେ ପାର୍ବତୀ ଓ ଗୌରୀ ଗଣନାଟ୍ୟ ପାଇଁ ଖଣ୍ଡଗିରିରେ ମଞ୍ଚ ନାହିଁ। ଅତ୍ୟାଧୁନିକ ମଞ୍ଚ ସଜ୍ଜା ଓ ଉପକରଣରେ ସଜ୍ଜିତ ରଙ୍ଗମହଲ, ବିଶ୍ବଦରବାର, ରାଜଧାନୀ ଅପେରା, ସ୍ବର୍ଣ୍ଣମହଲ ଭଳି ପାର୍ଟିମାନେ ଏବେ କିଛି ବର୍ଷ ହେଲା ଖଣ୍ଡଗିରିରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଛନ୍ତି।ସବୁବର୍ଷ ଖଣ୍ଡଗିରି ଯାତ୍ରା ମହାସମରରୁ ପ୍ରାୟ ୪ କୋଟି ଟଙ୍କାରୁ ଅଧିକ ବେପାର ହୁଏ। କୋଭିଡ୍‌ କଟକଣା ପାଇଁ ସବୁ ଯାତ୍ରା ପାର୍ଟି ବିପୁଳ କ୍ଷତି ସହିଥିଲେ। ଏଥର ଅନୁମତି ମିଳିଥିବାରୁ ଯାତ୍ରା ପାର୍ଟି ମାଲିକ, କଳାକାର ଓ ଦର୍ଶକମାନଙ୍କ ପାଇଁ ଖୁସିର ବିଷୟ ହୋଇଛି। ଜଣେ ଯାତ୍ରା ପାର୍ଟି ମାଲିକଙ୍କ କହିବା କଥ‌ା ଖଣ୍ଡଗିରି ମହାସମରର ସାର୍ଟିଫିକେଟ୍‌ ଉଭୟ ପାର୍ଟି ଓ ନାଟକର ଭବିଷ୍ୟତ। ଜଲିଉଡ୍‌ର ସମୀକ୍ଷକମାନେ ଖଣ୍ଡଗିରି ପ୍ରତିଯୋଗିତାକୁ ନେଇ ମୁଖ୍ୟତଃ ରିପୋର୍ଟ କରିଥାଆନ୍ତି। ଫଳରେ ଖଣ୍ଡଗିରିର ସଫଳତା ସବୁ ପାର୍ଟି ପାଇଁ ବର୍ଷ ସାରା ରାଜୁତି କରିବାକୁ ସୁଯୋଗ ଦେଇଥାଏ। ଏହି ଦୃଷ୍ଟିରୁ ଯାତ୍ରା ପାର୍ଟି ମାଲିକଙ୍କ ପାଇଁ ଖଣ୍ଡଗିରି ଯାତ୍ରାର ଗୁରୁତ୍ବ ସବୁଠୁ ଅଧିକ। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦର କୃଷ୍ଣଚନ୍ଦ୍ର ଜେନାଙ୍କ କହିବା କଥା ଯାତ୍ରା ପେଣ୍ଡାଲ ପାଇଁ ୧୨ଟି ବିଭାଗରୁ ଏନ୍‌ଓସି ଆଣିବାକୁ ପଡ଼ୁଛି। ଚଳିତ ବର୍ଷ ଅନୁମତି ପାଇଁ ସବୁଥିରେ ୧୦ ପ୍ରତିଶତ ଜିଏସ୍‌ଟି ଲାଗୁ ହେଉଛି। ପୂର୍ବରୁ ପେଣ୍ଡାଲ ପିଛା ୮୦ ହଜାର ଟଙ୍କା ଜମା କରିବାକୁ ପଡ଼ୁଥିଲା। ଏବେ ସେଥିରେ ୧୦ ପ୍ରତିଶତ ଜିଏସ୍‌ଟି ମିଶାଇବାକୁ ପଡ଼ିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.