ନାଇଟ ରାଇଡର୍ସର ତୃତୀୟ ବିଜୟ
ଘରୋଇ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଟିତ ଆଇପିଏଲର ଏକ ମୁକାବିଲାରେ ନାଇଟ ରାଇଡର୍ସ ୭ ୱିକେଟରେ ବିଜୟ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୧୬୦ ରନ୍ କରିଥିଲା। ଫଳରେ କୋଲକାତାକୁ ୧୬୧ ରନ ଟାର୍ଗେଟ ଦେଇଥିଲା। ଜବାବରେ କୋଲକାତା ୧୮.୫ ଓଭରରେ ୩ଟି ଓ୍ଵିକେଟ ହରାଇ ୧୬୩ ରନ୍ ସଂଗ୍ରହ କରିଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ରାଜସ୍ଥାନ ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ବଡ଼ ସ୍କୋର୍ରୁ ବଞ୍ଚିତ ହୋଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଅଜିଙ୍କ୍ୟ ରହାଣେ ଓ ସର୍ଟ ୬.୫ ଓଭରରେ ୫୪ ରନ୍ ଯୋଡ଼ିବା ପରେ ବିଚ୍ଛିନ୍ନ ହୋଇଥିଲେ। ରହାଣେ ୧୯ ବଲ୍ରୁ ୫ ଚୌକା ଓ ୧ ଛକା ସହାୟତାରେ ୩୬ ରନ୍ କରି ରାଣାଙ୍କ ଶିକାର ହୋଇଥିଲେ।
ଏହାପରେ ପୂର୍ବ ଦୁଇଟି ମ୍ୟାଚ୍ର ସଫଳ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମ୍ସନ୍ କିନ୍ତୁ ନିରାଶ କରିଥିଲେ। ଶିବମ୍ ମାଭି ତାଙ୍କୁ ୭ ରନ୍ରେ ପାଭିଲିୟନ୍ ପଠାଇ ଦେଇଥିଲେ। ତୃତୀୟ ଓ୍ଵିକେଟ୍ରେ ରାହୁଲ୍ ତ୍ରିପାଠୀ (୧୫)ଙ୍କୁ ସାଥୀ କରି ସର୍ଟ ୩୬ ରନ୍ ଯୋଡ଼ିଥିଲା ବେଳେ ରାଣା ନିଜର ଦ୍ୱିତୀୟ ଓ୍ଵିକେଟ୍ ଭାବେ ସର୍ଟଙ୍କୁ ଶିକାର କରି ନେଇଥିଲେ। ଏହାପରେ ଆଉ ବଡ଼ ଭାଗିଦାରୀ କରିବାକୁ କୋଲ୍କାତା ବୋଲରମାନେ ଦେଇନଥିଲେ। ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ତାଙ୍କର କମାଲ ଦେଖାଇ ପାରିନଥିଲେ। ତାଙ୍କୁ ୧୪ ରନ୍ରେ ପୀୟୂଷ ଚାଓ୍ଵଲା ଚକ୍ମା ଦେଇ ଆଉଟ୍ କରିଦେଇଥିଲା ବେଳେ ବଟ୍ଟଲର୍ ଏକା ସଂଘର୍ଷ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ ୧୮ ବଲ୍ରୁ ୨ ଚୌକା ଜରିଆରେ ୨୪ ରନ୍ କରିବା ସାଙ୍ଗକୁ ଦଳୀୟ ସ୍କୋର୍ ୧୫୦ ପାରି କରାଇଥିଲେ। କୃଷ୍ଣପା ଗୌତମ ୧୨ ରନ୍ କରିଥିଲେ ମଧ୍ୟ ଦଳ ୧୬୦/୮ରେ ଅଟକି ଯାଇଥିଲା।
କୋଲକାତା ପକ୍ଷରୁ ନୀତିଶ ରାଣା ଓ ଟମ୍ କୁରାନ ୨-୨ଟି ଓ୍ଵିକେଟ୍ ନେଇଥିଲେ। ପୀୟୁଷ ଚାଓ୍ଵଲା, କୁଳଦୀପ ଯାଦବ ଓ ଶିଭମ୍ ମାଭିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
ପଢନ୍ତୁ; ନେଲ୍ ପଲିସ୍ ଲଗାଇବା ବେଳେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ