ପଞ୍ଚାୟତ ଭୋଟର ଚାରି ପର୍ଯ୍ୟାୟ ସରିବା ପରେ ନେତାଙ୍କ ନଜର ରହିଛି ଏବେ ଭୋଟ ଗଣତି ଉପରେ । ଫେବୃୟାରୀ ୨୬, ୨୭, ୨୮ ତାରିଖ ତିନି ଦିନ ଧରି ବ୍ଲକ ମୁଖ୍ୟାଳୟରେ ବାଲାଟ ବକ୍ସ ଖୋଲାଯାଇ ଗଣତି କରାଯିବ । ପ୍ରତି ବ୍ଲକ ଅଧୀନରେ ଆସୁଥିବା ଜିଲ୍ଲାପରିଷଦ ଜୋନ ଗୁଡିକୁ ତିନି ଭାଗରେ ବିଭକ୍ତ କରାଯାଇଛି । କ୍ରମିକ ନମ୍ବର ଅନୁସାରେ ଗଣତି କରାଯାଇ, ଫଳ ପ୍ରକାଶ କରାଯିବ । ଆସନ୍ତୁ ଜାଣିବା ଗଣତିର ପୁରା ପ୍ରକ୍ରିୟା କିଭଳି ରହିବ । କେମିତି ହେବ ପଞ୍ଚାୟତ କାଉଣ୍ଟିଙ୍ଗ ? କ’ଣ ରହିବ ଗଣତିର ପ୍ରକ୍ରିୟା ? କେଉଁ ନେତାଙ୍କ ଫଳ ଆସିବ କେଉଁ ତାରିଖରେ ? ୨୪ରେ ସରିବ ପଞ୍ଚାୟତ ନିର୍ବାଚନ । ଫଳାଫଳକୁ ନେଇ ନେତାଙ୍କ ଠାରୁ କର୍ମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ପ୍ରଥମ ଥର ପାଇଁ ପଞ୍ଚାୟତର ଫଳାଫଳ ନୂଆ ଢାଞ୍ଚାରେ ଆସିବାକୁ ଯାଉଛି । ବ୍ଲକରେ ସେଣ୍ଟ୍ରାଲ କାଉନଟିଙ୍ଗ ବ୍ୟବସ୍ଥା କରାଯାଇଛି, ତେଣୁ ରେଜଲ୍ଟକୁ ନେଇ ଚର୍ଚ୍ଚା ବଢୁଛି ।
– ୩୧୪ ବ୍ଲକରେ ଭୋଟ ଗଣତି ହେବ। ସେଥିପାଇଁ ସବୁ ବ୍ଲକରେ ବଡ ହଲର ବ୍ୟବସ୍ଥା କରାଯାଇଛି।
– ଭୋଟ ଗଣତି କେନ୍ଦ୍ରରେ ପ୍ରତି ଜୋନ୍ ରେ ଯେତିକି ଗ୍ରାମ ପଂଚାୟତ ରହିଛି ଗଣତି ପାଇଁ ସେତିକି ଟେବୁଲ ରହିବ। ଗୋଟଏ ହଲରେ ସର୍ବାଧିକ ୧୦ ଟି ଟେବୁଲ ରହିବ।
– ଓଡ଼ିଆ ଆଲଫାବେଟ ଅନୁଯାୟୀ ଗ୍ରାମ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ ।
– ଗୋଟିଏ ଟେବୁଲ ଭୋଟ ଗଣତି ପାଇଁ ୪ ଜଣ ଅଧିକାରୀ ରହିବେ। ଜଣେ କଉଣ୍ଟିଂ ସୁପର ଭାଇଜର, ଦୁଇ ଜଣ କଉଣ୍ଟିଂ ଆସିଷ୍ଟାଣ୍ଟ ଆଉ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ ।
– କେଉଁ ଟିମ କେଉଁ ଟେବୁଲ ରେ ବିସିବେ ସେ ନେଇ ଗୁଳା ପଡି ନିଷ୍ପତ୍ତି ନିଆଯିବ।
– ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଗଣନା କରାଯିବ। ଯେଉଁ ବ୍ଲକରେ ୫ ଟି ଜିଲ୍ଲାପରିଷଦ ଜୋନ ଥିବ ପ୍ରଥମ ଦିନ ଗୋଟିଏ, ଦ୍ବିତୀୟ ଦିନ ୨ଟି ତୃତୀୟ ଦିନ ୨ଟି ଜିଲ୍ଲାପରିଷଦ ଜୋନରେ ଗଣତି ହେବ। ଯେଉଁ ବ୍ଲକରେ ୬ଟି ଜିଲ୍ଲା ପରିଷଦ ଜୋନ ଥିବ ପ୍ରତିଦିନ ୨ଟି ଜୋନର ଭୋଟ ଗଣତି ହେବ।
– ଜଣେ ପ୍ରାର୍ଥୀଙ୍କ ପାଇଁ ଜଣେ ଏଜେଣ୍ଟ ରହିବେ
– ଯେତେ ଜଣ ପ୍ରାର୍ଥୀ ଥିବେ ସେତିକି ଟି ଟ୍ରେ ଟେବୁଲରେ ରହିବ। ଆଉ ଗୋଟିଏ ଟ୍ରେ ନାକଚ ବାଲଟ ପେପର ପାଇଁ ରହିବ।
– କାଉଣ୍ଟିଙ୍ଗ ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୧୫ ମିନିଟ ପୂର୍ବରୁ ବାଲଟ ବକ୍ସ ଗଣତି ହଲକୁ ଅଣା ଯିବ।
– ବାଲଟ ବକ୍ସର ସିଲ ଖୋଲାଯିବା ପରେ ଟେବୁଲ ଉପରେ ବାଲଟ ପେପରକୁ ଢ଼ଳାଯିବ। ତା ପରେ ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ରଖାଯିବ।
– ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭୋଟ ଗଣନା ହେବ।
– ବ୍ଲକ କାର୍ଯ୍ୟାଳୟରେ ଫେଜ ୱାଇଜ ଫଳାଫଳ ଘୋଷଣା ହେବ ।
ଚଳିତ ଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ସେଣ୍ଟ୍ରାଲ କାଉଣ୍ଟିଂ ହେଉଥିବାରୁ ବ୍ଲକରେ ହେଉଥିବା କାଉଣ୍ଟିଂ ହଲ ବାହାରେ ପ୍ରବଳ ଭିଡ ଜମିବ। କାରଣ ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି ଏକାଥରେ ହେବ । ସେଥିପାଇଁ ବାହାରେ ପ୍ରବଳ ଭିଡ ଜମିବ। ଗଣତି ସରିବା ବେଳକୁ ବିଳମ୍ବିତ ରାତି ମଧ୍ୟ ହୋଇପାରେ । ସେଥିପାଇଁ କଣ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ଅପରାହ୍ନରେ ପୋଲିସ ଡିଜିଙ୍କୁ ଡାକି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।