ଭୁବନେଶ୍ବରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ କୋଣାର୍କ ସ୍ଥାପତ୍ୟ ଚମକିବ। ଏଭଳି ଏକ ଯୋଜନାରେ ମୋହର ମାରିଛନ୍ତି ବିଏସ୍ସିଏଲ୍(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍) ଏମ୍ଡି ବଲୱନ୍ତ ସିଂହ। ଏହି ନିଷ୍ପତ୍ତି ହେବା ପରେ ବିଏସ୍ସିଏଲ୍ ଟେଣ୍ଡର ଡାକିଛି। ପ୍ରଥମ ପର୍ଯ୍ୟାୟରେ ୯ଟି ଟ୍ରାଫିକ୍ ପୋଷ୍ଟକୁ ଏଭଳି ନୂଆ ରୂପ ଦିଆଯିବ ବୋଲି ଜଣାପଡ଼ିଛି।ଏହି ତାଲିକାରେ ଏୟାରପୋର୍ଟ ଛକ, ଏଜି, ପିଏମ୍ଜି, କଳିଙ୍ଗ ହସ୍ପିଟାଲ୍, ୟୁରେକା ଛକ(ବେହେରା ସାହି), ପାୱାର ହାଉସ୍, ରୂପାଲି, ରାମମନ୍ଦିର, ଶିଶୁ ଭବନ ଓ କ୍ୟାପିଟାଲ ହସ୍ପିଟାଲ ଛକ ରହିଛି। ଏହି ସବୁ ପୋଷ୍ଟଗୁଡ଼ିକରେ ସିଲିଂ ଫ୍ୟାନ୍ ସହିତ ଲାଇଟ୍, ଜରୁରୀକାଳୀନ ସୁଇଚ୍, ଲାଉଡ୍ସ୍ପିକର, ମୋବାଇଲ ଚାର୍ଜିଂ ପଏଣ୍ଟ ରହିବ। ଏ ସବୁ ସୌରଚାଳିତ ହେବ। ଏଥିରେ କୋଣାର୍କ ମନ୍ଦିରରେ ହୋଇଥିବା କାରୁକାର୍ଯ୍ୟ ଶୋଭା ପାଇବ। ଦେଢ଼ ମାସ ଭିତରେ ହିଁ ଏ ସବୁ ନିର୍ମାଣ ହେବ। ପ୍ରତି ପୋଷ୍ଟରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ସ୍ଥିର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯ଟି ହେବା ପରେ ଆଗକୁ ପ୍ରତିଟି ପୋଷ୍ଟକୁ ଏଭଳି ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଜଣାପଡ଼ିଛି।
ସେହିଭଳି ରାସ୍ତାରେ ଥିବା ଟ୍ରାଫିକ୍ ଲାଇଟ୍ ଖୁଣ୍ଟ ଓ ଅନ୍ୟାନ୍ୟ ଖୁଣ୍ଟିଗୁଡ଼ିକୁ ରଙ୍ଗ ଦେବା ଆରମ୍ଭ ହୋଇଛି। ପ୍ରତ୍ୟେକ ଖୁଣ୍ଟ ଗୋଟିଏ ରଙ୍ଗର(କଳାଧଳା) ହେବ। ଏ ସବୁ କାମ ଗୋଟିଏ ମାସ ଭିତରେ ଶେଷ ହେବ। ଏହାଛଡ଼ା ସ୍ମାର୍ଟ ଜନପଥକୁ ପରିଷ୍କାର ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜନପଥର ପରିମଳ ଦାୟିତ୍ବ ବିଏସ୍ସିଏଲ୍ ନେଇଛି। ହକି ଖେଳ ପାଇଁ ଏହାକୁ ଗୁରୁତ୍ବର ସହ ନିଆଯାଇଥିଲେ ମଧ୍ୟ ଆଗକୁ ଏହି ଧାରା ଜାରି ରହିବ ବୋଲି ଜଣାପଡ଼ିଛି।