News

ମହାନଦୀରେ ନିର୍ମାଣ ହେବ ଓଡିଶାର ଦୀର୍ଘତମ ସେତୁ

By Krishna Kumar Manoj

September 06, 2018

ମହାନଦୀ ଉପରେ ନିର୍ମାଣ ହେବ ଓଡିଶାର ଦୀର୍ଘତମ ସେତୁ। ଏହି ସେତୁର ଲମ୍ବ ପ୍ରାୟ ୩.୧୧୯ କି.ମି ରହିବ। ୧୩୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଗୋପୀନାଥପୁର-ବୈଦେଶ୍ୱର ସେତୁର ଶୁଭାରମ୍ଭ ହୋଇଯାଇଛି। ଗୋପୀନାଥପୁରଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦ୍‌ଘାଟକ, ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀ ଦେବ ନାରାୟଣ ପାଲ, ବଡ଼ମ୍ବା ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ସେତୁ ଦ୍ୱାରା ମହାନଦୀର ମଧ୍ୟଭାଗରେ ଥିବା ପ୍ରସ୍ତର କାରୁକାର୍ଯ୍ୟପୂର୍ଣ୍ଣ ପ୍ରସିଦ୍ଧ ସିଂହନାଥ ମନ୍ଦିରକୁ ମଧ୍ୟ ଗମନାଗମନ ସମ୍ଭବ ହେବ। ଅଢେଇବର୍ଷ ଭିତରେ ସେତୁ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମହାନଦୀରେ ଏହା ରାଜ୍ୟର ୨୨ତମ ସେତୁ ହେବାକୁ ଯାଉଛି।

ସୂଚନାଯୋଗ୍ୟ,୨୦୧୪ ମସିହାରେ ଏହି ସେତୁର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ। କିଛି ମାସ ତଳେ ଏହି ପ୍ରକଳ୍ପ କ୍ୟାବିନେଟ ମଞ୍ଜୁରୀ ପାଇଥିଲା। ବିଧାୟକ ଦେବୀ ମିଶ୍ର ଏଭଳି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଅଂଚଳବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପଢନ୍ତୁ; ଏସିଆଡ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ:’ଅଲମ୍ପିକ୍ସ ପାଇଁ କଠିନ ପରିଶ୍ରମ କର’