ଆମେରିକାରେ ହେବ ଏହାର ଗ୍ରାଣ୍ଡ ପ୍ରିମିୟର୍
ସୁପର୍ଷ୍ଟାର୍ ମହେଶ୍ ବାବୁଙ୍କ ତେଲୁଗୁ ଫିଲ୍ମ ‘ଭାରତ ଆନେ ନେନୁ’ ଏ ବର୍ଷର ବହୁଚର୍ଚ୍ଚିତ ଦକ୍ଷିଣ ଭାରତୀୟ ଫିଲ୍ମ ଭାବେ ଦେଖାଯାଉଛି । ଏପ୍ରିଲ ୨୦ରେ ଏହା ମୁକ୍ତିଲାଭ କରିବାକୁ ଯାଉଛି । ଆମେରିକାରେ ହେବ ଏହାର ଗ୍ରାଣ୍ଡ ପ୍ରିମିୟର୍ । ରିଲିଜ୍ ପୂର୍ବଦିନ ଦେଶବ୍ୟାପୀ ୨୦୦୦ଟି ପ୍ରେକ୍ଷାଳୟରେ ଫିଲ୍ମ ପ୍ରଦର୍ଶନ ଲାଗି ନିର୍ମାତା ନିର୍ଦ୍ଦେଶକ ପ୍ରସ୍ତୁତି ଚଳାଇଛନ୍ତି ।
ଏ ସମ୍ପର୍କରେ ଫିଲ୍ମର ଆମେରିକୀୟ ଡିଷ୍ଟ୍ରିବ୍ୟୁଟର୍ ଗ୍ରେଟ୍ ଇଣ୍ଡିଆ ଫିଲ୍ମ ପକ୍ଷରୁ ଟୁଇଟ୍ ଜରିଆରେ ସ୍ପଷ୍ଟ କରାଯାଇଛି । ଆମେରିକାରେ କୌଣସି ଏକ ତେଲୁଗୁ ଫିଲ୍ମର ପ୍ରଥମକରି ଏତେ ଭବ୍ୟ ପ୍ରିମିୟର୍ ହେବାକୁ ଯାଉଛି ବୋଲି ଗ୍ରେଟ୍ ଇଣ୍ଡିଆ ପକ୍ଷରୁ କହାଯାଇଛି । ‘ଭାରତ ଆନେ ନେନୁ’ରେ ମହେଶ ବାବୁଙ୍କ ସହ ଆଉ ଜଣେ ବିଶିଷ୍ଟ କଳାକାର କୋରାତାଲା ଶିବାଙ୍କୁ ଏକାଠି ଦେଖିବାକୁ ମିଳିବ ।
ଏହି ଫିଲ୍ମ ଜରିଆରେ ତେଲୁଗୁ ଫିଲ୍ମ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍ଭାନୀ । ଏଥିରେ ମହେଶ ବାବୁଙ୍କ ପିତା ଭୂମିକାରେ ଦେଖିବାକୁ ମିଳିବେ ତାମିଲ ଅଭିନେତା ଶରଥ କୁମାର । ପ୍ରଥମ ଟ୍ରେଲର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ସିନେପ୍ରେମୀ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି । ଫିଲ୍ମର କାହାଣୀ ଏକ ରାଜନୈତିକି ବିଷୟବସ୍ତୁ ଉପରେ ଆଧାରିତ ବୋଲି କୁହାଯାଉଛି । ଏଥିରେ ମହେଶ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିବ ।
ଏଥିରେ ପ୍ରକାଶ ରାଜ୍, ରାଓ ରମେଶ, ରବି ଶଙ୍କର, ପୋସାନୀ କ୍ରିଷ୍ଣା ମୁରଲୀ, ଅମାନୀ, ଜୀବା, ବେନର୍ଜି, ବ୍ରହ୍ମାଜୀ, ଅଜୟ କୁମାର, ସୀଥାରାଜ୍, ରଜିଥା, ପୃଥିବୀରାଜ, ଦେବରାଜ ଏବଂ ଯଶ୍ପାଲ୍ ଶର୍ମାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ରବି କେ. ଚନ୍ଦ୍ରନ୍ ଏବଂ ଏସ୍. ଥିରୁନାଭକ୍କରସୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।
ପଢନ୍ତୁ ;