POLITICALS

ମିହିର ଦାସ ଓ ଅନୁ ଚୌଧୁରୀଙ୍କ ପରେ ଆଜି ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

By Krishna Kumar Manoj

February 12, 2018

ଓଲିଉଡର ପ୍ରଖ୍ୟାତଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ ଆଜି ବିଜେପିରେ ମିଶିବେ ।

ଦଳରେ ଯୋଗ ଦେବା ଅବ୍ୟବହିତ ପୂର୍ବରୁ ମହାଶ୍ୱେତା ଲୋକଙ୍କ ପାଇଁ ନିଶ୍ଚିତ କିଛି କରିବି ବୋଲି ପ୍ରତିଶୃତି ଦେଇଛନ୍ତି। ଆଜି୧୧ଟାରେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ଯୋଗଦେବେ । ମହାଶ୍ୱେତା କହିଛନ୍ତି ଯେ,ରାଜନୀତି ପ୍ରତି ତାଙ୍କର ପିଲାଦିନୁ ରୁଚି ରହିଥିବା କିନ୍ତୁ ଅଭିନୟ କ୍ଷେତ୍ରକୁ ଆସିବାର ଅନେକ ଦିନ ପରେ ତାଙ୍କୁ ଏହି ସୁଯୋଗ ମିଳିଛି। ଆଉ ଏହା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିତ୍ୱ ତଥା ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଶାମିଲ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଥାପାଇଁ ତାଙ୍କୁ ବହୁତ ଥର ଭାବିବାକୁ ପଡିଛି ବୋଲି ସେ କହିଛନ୍ତି।

୧୯୭୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଶେଷ ଶ୍ରାବଣ’ରୁ ନାୟିକା ଭାବେ ମହାଶ୍ୱେତା ଓଲିଉଡ଼ରେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ଏହା ପରେ ସେ ୪୨ ବର୍ଷ ଧରି ଓଲିଉଡ଼ରେ ସକ୍ରିୟ ଅଛନ୍ତି। ତାଙ୍କୁ ଓଡ଼ିଶା ରାଜ୍ୟ ସରକାର ଚଳଚ୍ଚିତ୍ର ପାଇଁ ପ୍ରଦତ୍ତ ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ମଧ୍ୟ ସମ୍ମାନୀତ କରିଥିଲେ। ତାଙ୍କର ଅଭିନୀତ ଅନ୍ୟ କେତୋଟି ଉଲ୍ଲେଖନୀୟ ସିନେମା ହେଲା – ମା ଓ ମମତା, ଗୌରୀ, ପୂଜା, ହିସାବ ନିକାଶ, ସ୍ୱପ୍ନ ସାଗର, ଜଗାବଳିଆ, ଗୃହଲକ୍ଷ୍ମୀ, କାବେରୀ, ବୋଉ, ଦେଲେ ଧରା କଥା ସରେ ଇତ୍ୟାଦି।

୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ମହାଶ୍ୱେତା ବିଜେପି ରେ ଯୋଗଦେବା ଫଳରେ ବିଜେପିର ଶକ୍ତି ବୃଦ୍ଧି ଘଟିବ ବୋଲି କୁହାଯାଉଛି । ପୂର୍ବରୁ ମିହିର ଦାସ, ଅନୁଚୌଧୁରୀ, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଅଜିତ ଦାସ, ହରିହର ମହାପାତ୍ର, ଅଶ୍ରୃମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ମନ୍ମଥ ମିଶ୍ର, କ୍ରିଷ୍ଣା ମିଶ୍ର, ପଂଚାନନ ନାୟକଙ୍କ ପରି ଅଭିନେତା ସଙ୍ଗୀତକାର କଣ୍ଠ ଶିଳ୍ପୀ ତଥା ଗୀତିକାର ବିଜେପିରେ ସାମିଲ ହୋଇସାରିଛନ୍ତି । ମହାଶ୍ୱେତା ବିଜେପିରେ ଯୋଗ ଦେଇ ବିଜେପୁର ନିର୍ବାଚନ ପ୍ରଚାରକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟଯେ, ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶା ପଲିଟିକ୍ସର ସେତିକି ପାଖେଇ ଆସୁଛି ଓଲିଉଡ୍ । ଅଳ୍ପ କିଛିଦିନ ହେବ ଲୋକପ୍ରିୟ ସିନେଷ୍ଟାର ମିହିର ଦାସ ଓ ଅନୁ ଚୋଧୁରୀ ମିଶିଛନ୍ତି ବିଜେପିରେ । ଅବଶ୍ୟ ୨୦୧୪ ନିର୍ବାଚନ ବେଳେ ମିହିର ଦାସ ଯୋଗ ଦେଇଥିଲେ ବିଜେଡିରେ । ତେବେ ବିଜେଡିରେ ତାଙ୍କ କ୍ୟାରିୟର ଅଧିକ ଆଗକୁ ଯାଇ ପାରିନଥିଲା।ବିଜେପିରେ ମିଶି ଲୋକଙ୍କ ପାଇଁ କାମ କରିବାକୁ ଆଗ୍ରହୀ ବୋଲି ମିହିର ଦାସ କହିଛନ୍ତି । ଏତେ ଦିନର ଶାସନ ପରେ ବି ଓଡିଶା ପଛୁଆ ରାଜ୍ୟ ହୋଇ ରହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏହା ସହ କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା କ୍ଷୋଭର ସହ କହିଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତା।

ପଢନ୍ତୁ;

ଦିନକୁ ଦିନ ବଢୁଛି ଖରା ! ଜାଣିରଖନ୍ତୁ ଗ୍ରୀଷ୍ମ ପ୍ରବାହରୁ ନିଜକୁ କିପରି ସୁସ୍ଥ ରଖିବେ?