• Home
  • News
  • କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ
News

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

କଟକ ସପିଂ ମଲ୍ ଅଗ୍ନିକାଣ୍ଡର ଆଜି ସରଜମିନ ତଦନ୍ତ !

ଗତକାଲି କଟକ ସହରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବାଦାମବାଡ଼ି ନିକଟ ସିଟି ଷ୍ଟାଇଲ୍‌ ସପିଙ୍ଗ ମଲ୍‌ର ତିନି ମହଲା କୋଠା ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଏହି ଭୟାଭୟ ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଥିବା ଅଗ୍ନିଶମ ବିଭାଗ ଆକଳନ କରିଛି। ମୁଖ୍ୟ ଇଲେକ୍ଟ୍ରି କଣ୍ଟ୍ରୋଲ ପ୍ୟାନେଲ୍‌ରୁ ସଟ୍‌ ସର୍କିଟ୍‌ ହୋଇ ନିଆଁ ମଲ୍‌ ସାରା ବ୍ୟାପିଥିବା କୁହାଯାଉଛି। ସୌଭାଗ୍ୟବଶତଃ ମଲ୍‌ର ସମସ୍ତ କର୍ମଚାରୀ ସୁରକ୍ଷିତ ସ୍ଥାନକୁ ଖସିଆସିଥିଲେ। କଟକ ସହରରେ ଏଭଳି ଭୟାବହ ଅଗ୍ନିକାଣ୍ଡ ପ୍ରଥମ ଥର ପାଇଁ ଘଟିଥିବା କୁହାଯାଉଛି।

ଅଗ୍ନିକାଣ୍ଡ ସମୟରେ ଉକ୍ତ ମଲ୍‌ ଭିତରେ ଗ୍ରାହକ ଓ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୭୦ ଜଣ ଲୋକ ଥିଲେ। ନିଆଁ ଲାଗିଥିବା ଖବର ଜାଣି ସେମାନେ ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ। ଅଗ୍ନିକାଣ୍ଡ ଖବର ପ୍ରଚାରିତ ହେବା ପରେ ଲୋକାରଣ୍ୟ ହୋଇଯାଇଥିଲା ବାଦାମବାଡ଼ି ଅଞ୍ଚଳ। ପୂର୍ବାହ୍ନ ସାଢେ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଆଁ  ତାଣ୍ଡବ ଦେଖିବାକୁ ମିଳିଥିଲା। ନୟାନ୍ତ ହୋଇଯାଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀମାନେ। ୨୧ଟି ଦମକଳ ଗାଡ଼ି ଓ ୧୫୦ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା।

ଉକ୍ତ ଶପିଂ ମଲ୍‌ ସମେତ ପାଖରେ ଥିବା ଗୋଟିଏ ହୋଟେଲ, ଲାଇଟ୍‌ ଆଣ୍ଡ ସାଉଣ୍ଡ, ବହି ଓ ବିଦ୍ୟୁତ୍‌ ସାମଗ୍ରୀ ଦୋକାନ କ୍ଷତିଗ୍ରସ୍ତ ହୋଇଛି। କେବଳ ସେତିକି ନୁହେଁ ନିକଟରେ ଥିବା ଅନ୍ୟ ଏକ ଶପିଂ ମଲ୍‌ ଗୀତା ଫ୍ୟାଶନସ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସିଟି ଷ୍ଟାଇଲ ଶପିଂ ମଲ୍‌ଟି ତିନି ମହଲା ବିଶିଷ୍ଟ। ସବୁଦିନ ପରି ମଲ୍‌ଟି ପୂର୍ବାହ୍ନ ୧୦ଟାରେ ଖୋଲିଥିଲା। ପ୍ରାୟ ଦେଢ଼ଘଣ୍ଟା ମଧ୍ୟରେ ଗ୍ରାହକମାନଙ୍କ ଯିବା ଆସିବା ଧୀରେ ଧୀରେ ବଢ଼ିଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ  ନିଆଁ  ଲାଗିଯିବା ସହ   ଡିଆଁ ଦୌଡ଼ ହୋଇ ଗ୍ରାହକ ଓ କର୍ମଚାରୀ ପଦାକୁ ଆସିଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ ଜିତନ ରାଉତଙ୍କ କହିବା ଅନୁଯାୟୀ, ମଲ୍‌ର ମୁଖ୍ୟ ବିଦ୍ୟୁତ୍‌ ସଂଯୋଗକାରୀ ବୋର୍ଡରୁ ଶର୍ଟସର୍କିଟ୍‌ ଯୋଗୁ ନିଆଁ  ବାହାରିଲା। ସ୍ପାର୍କିଂ ହୋଇ କେବୁଲରେ ନିଆଁ ବ୍ୟାପିଯାଇଥିଲା। ଚାହୁଁ ଚାହୁଁ ପ୍ରଥମେ ମଲ୍‌ର ଗ୍ରାଉଣ୍ଡ ଫ୍ଲୋରକୁ ନିଆଁ ମାଡ଼ି ଯାଇଥିଲା। ଅଗ୍ନି ନିରାପତ୍ତା ପାଇଁ ରହିଥିବା ଯନତ୍ପାତି ବ୍ୟବହାର କରାଯାଇଥିଲେ ସୁଦ୍ଧା ତାହା କାମ କରି ନ ଥିଲା। ଭୟଭୀତ ଅବସ୍ଥାରେ ଉପର ଦୁଇମହଲା ଓ ଗ୍ରାଉଣ୍ଡ ଫ୍ଲୋରରେ ଥିବା କର୍ମଚାରୀ ଓ ଗ୍ରାହକ ପଦାକୁ ପଳାଇ ଆସି ବିପତ୍ତିରୁ ରକ୍ଷା ପାଇଯାଇଥିଲେ।

ଅପରାହ୍ନ ସାଢେ ୫ଟାରେ  ନିଆଁ  ଲିଭା ଶେଷ ପରେ ବାଦାମବାଡ଼ି ଥାନା ପୋଲିସ ମଲ୍‌ର ସୁରକ୍ଷା ଦାୟିତ୍ୱ ନେଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଏହା ଶର୍ଟସର୍କିଟ ଜନିତ ବୋଲି କୁହାଯାଉଛି। ପ୍ରାଥମିକ ସୂଚନା ଅନୁଯାୟୀ ଉକ୍ତ ମଲ୍‌ରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା, ଯାହା ଏପରି ବଡ଼ଧରଣର ଅଗ୍ନିକାଣ୍ଡକୁ ଆମନ୍ତ୍ରଣ କରିଛି ବୋଲି ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା କହିଛନ୍ତି। ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଗତ ଜାନୁୟାରୀ ୨୦ରେ ଉକ୍ତ ଶପିଂ ମଲ୍‌କୁ ଅଗ୍ନିଶମ ବିଭାଗ ନୋଟିସ ଜାରି କରିଥିଲା। ମାତ୍ର ମଲ୍‌ ପକ୍ଷରୁ ତାହାକୁ ଅନୁପାଳନ କରାଯାଇ ନ ଥିଲା। ତେଣୁ ସମସ୍ତ ବ୍ୟବସ୍ଥାର ବିଧିବଦ୍ଧ ତଦନ୍ତ କରିବା ପାଇଁ ଡିଜି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ fire

ପଢନ୍ତୁ ;

ପପକର୍ଣ୍ଣ ଖାଇବା ଦ୍ୱାରା କଣ କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଅଲଗା ହେଲା ଜଗା-ବଳିଆଙ୍କ ଯୋଡାମୁଣ୍ଡ, ଏବେ ଆସିୟୁରେ ୭୨ ଘଂଟା ଅବଜରଭେସନରେ ରହିବେ

Krishna Kumar Manoj

ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା : ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

Krishna Kumar Manoj

ଅହେତୁକ ତୈଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦରେ ବିଜେଡ଼ିର ୫ ଘଂଟିଆ ହରତାଳ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More