News

ସାବିତ୍ରୀବ୍ରତରେ ବଡ ଅଘଟଣ:ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀଙ୍କ ମୃତ

By Krishna Kumar Manoj

May 16, 2018

ସାବିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସତ୍ୟବାନଙ୍କ ମୃତ

ଗତକାଲି ସାବିତ୍ରୀ ଅମାବାସ୍ୟ ପାଇଁ ସାରା ରାଜ୍ୟ ଉତ୍ସବମୁଖର ଥିବାବେଳେ ସମ୍ବଲପୁର ସହରର ଏକ ଘଟଣା ଶୋକର ଛାୟା ଖେଳାଇ ଦେଇଛି । ପତିଙ୍କ ଦୀର୍ଘଜୀବନ କାମନା କରି ସାବିତ୍ରୀବ୍ରତ ପାଳନ କରିବାର ପ୍ରସ୍ତୁତି ଚାଲିଥିବାବେଳେ ପତ୍ନୀଙ୍କୁ ବିଦ୍ୟୁତ ସଂସ୍ପର୍ଶରୁ ବଂଚାଇବାକୁ ଯାଇ ପତିଙ୍କ ଜୀବନ ଚାଲିଯାଇଥିବା ଭଳି ଏକ ଘଟଣା ସମ୍ବଲପୁରବାସୀଙ୍କ ପର୍ବକୁ ଫିକା କରିଦେଇଥିଲା।

ଏହି ଘଟଣାଟି  ମଧ୍ୟାହ୍ନ ପ୍ରାୟ ୧୦ଟା ସମୟରେ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଘରେ କାମ କରୁଥିବା ଜଣେ ସହାୟିକା ଲୁଗା ଶୁଖାଇବାକୁ ଯାଇ ପ୍ରଥମେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ସେ ଚିତ୍କାର କରି ଛଟପଟ ହେଉଥିବା ଦେଖି ପତ୍ନୀ ସରୋଜିନୀ ଉଦ୍ଧାର କରିବାକୁ ଉଦ୍ୟମ କରିବା ସହ ସେ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ଶେଷରେ ସ୍ୱାମୀ ବୃନ୍ଦାବନ ପ୍ରଧାନ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ତେବେ ସହାୟିକା ଏବଂ ତାଙ୍କ ପତ୍ନୀ ସିନା ବର୍ତ୍ତିଗଲେ। ହେଲେ ଆଖି ବୁଜିଦେଲେ ସ୍ୱାମୀ ବୃନ୍ଦାବନ। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ବୃନ୍ଦାବନଙ୍କ ପତ୍ନୀ ସରୋଜିନୀ ଏବଂ ଘରୋଇ ସହାୟିକାଙ୍କ ଅବସ୍ଥା ଅବଶ୍ୟ ଗୁରୁତର ରହିଛି। ଉଭୟଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଥିବା ବେଳେ ପୋଲିସ ଘଟଣାର ଅନୁଧ୍ୟାନ କରୁଛି।

ପଢନ୍ତୁ; ବାରଣାସୀରେ ଭୁଶୁଡ଼ିଲା ଫ୍ଲାଏଓଭର ୧୮ ମୃତ !