କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବିଏସପି ରାଷ୍ଟ୍ରୀୟ ଉପସଭାପତି ତଥା ସଂଯୋଜକ ଜୟ ପ୍ରକାଶ ସିଂ ଙ୍କୁ ଦଳରୁ ବହିଷ୍କାର କରାଯାଇଛି। ମାୟାବତୀ ଜୟ ପ୍ରକାଶଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କହିଛନ୍ତି ଯେ, ବିଏସପି ସଂଯୋଜକ ଜୟ ପ୍ରକାଶ ସିଂହଙ୍କର ଭାଷଣ ସମ୍ପର୍କରେ ତାଙ୍କୁ ସୂଚନା ମିଳିଥିଲା । ଯେଉଁ ଭାଷଣରେ ଜୟ ପ୍ରକାଶ ପାର୍ଟିର ବିଚାରଧାର ବିରୋଧରେ କହିଛନ୍ତି। କେବଳ ସେତିକି ନୁହେଁ ଦ୍ୱିତୀୟ ଦଳ ନେତୃତ୍ୱ ବିରୁଦ୍ଧରେ ବ୍ୟକ୍ତିଗତ ଟିପ୍ପଣୀ ଦେଇଛନ୍ତି, ଯେଉଁଥିରେ ପାର୍ଟି ସହମତ ନୁହେଁ । ତେଣୁ ତାଙ୍କୁ ସମସ୍ତ ପଦବୀରୁ ନିଲମ୍ବିତ କରାଯାଉଛି।
ସୂଚନାଯୋଗ୍ୟ,ଲକ୍ଷ୍ନୋ ଠାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କ ବାପା ରାଜୀବ ଗାନ୍ଧୀଙ୍କ ପରି ହୋଇ ପାରିବେ ନାହିଁ । ରାହୁଲ ତାଙ୍କ ମା ସୋନିଆ ଗାନ୍ଧୀ( ଯିିଏ ମୂଳତଃ ଜଣେ ବିଦେଶିନୀ)ଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ତେଣୁ ତାଙ୍କ ଦେହରେ ପ୍ରବାହିତ ‘ବିଦେଶୀ’ ରକ୍ତ ଯୋଗୁଁ ସେ ରାଜନୀତିରେ ସଫଳ ହୋଇ ପାରିବେ ନାହିଁ କିମ୍ବା ଭାରତର ନେତୃତ୍ୱ ନେଇ ପାରିବେ ନାହିଁ ବୋଲି ଅତି କଡ଼ାଭାଷାରେ ଶ୍ରୀ ସିଂହ କହିଥିଲେ।