ଇ-ଫାର୍ମାସି ଓ ଅନଲାଇନ୍ ଔଷଧ ବିକ୍ରି ପ୍ରକ୍ରିୟାକୁ ବିରୋଧ କରି ଆଜି ‘ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ’ ଡ଼ାକିଥିବା ୨୪ ଘଣ୍ଟିଆ ଔଷଧ ବ୍ୟବସାୟ ବନ୍ଦ ଡାକରାକୁ ‘ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ’ ସଂଘ ସମର୍ଥନ ଜଣାଇ ରାଜ୍ୟର ୨୨ ହଜାର ଔଷଧ ଦୋକାନୀ ଏଥିରେ ସାମିଲହୋଇଛି। ଫଳରେ କେବଳ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଥିବା ଔଷଧ ଦୋକାନଗୁଡ଼ିକୁ ବାଦ୍ ଦେଲେ ରାଜ୍ୟର ସବୁ ଔଷଧ ଦୋକାନ ବନ୍ଦ ରହିଛି।
ବହୁରାଷ୍ଟ୍ରୀୟ କମ୍ପାନୀ ଦେଶର ସମସ୍ତ ଔଷଧ ବିକ୍ରି ବ୍ୟବସ୍ଥାକୁ ନିଜ କବ୍ଜାକୁ ନେଇଯିବାକୁ ମସୁଧା କରୁଥିବା ଅଭିଯୋଗ ହୋଇଛି। ଏହାଛଡା ଅନ୍ଲାଇନ ଔଷଧ ବିକ୍ରି କେବଳ ବାଣିଜି୍ୟକ ଦୃଷ୍ଟିକୋଣରୁ ନୁହେଁ, ବରଂ ରୋଗୀମାନଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପକାଇବ। ଏହାଦ୍ୱାରା ଭବିଷ୍ୟତ ପିଢି ଅଧିକ କ୍ଷତିଗ୍ରସ୍ତ ହେବେ। ଇ-ଫାର୍ମାସୀ ବ୍ୟବସ୍ଥାକୁ ବନ୍ଦ କରିବାକୁ ମହାସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅବଗତ କରାଯିବା ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ବାଧ୍ୟ ହୋଇ ବ୍ୟବସାୟୀମାନେ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସଂଘ କହିଛି।
ସରକାରଙ୍କ ନିଷ୍କ୍ରିୟତା ଦେଶର ୧୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ଏହା ସତ୍ତ୍ୱେ ଯଦି ସରକାର ନିଜ ଜିଦ୍ରେ ଅଟଳ ରହିବେ ତେବେ ଔଷଧ ବ୍ୟବସାୟୀମାନେ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟରେ ଔଷଧ ଦୋକାନ ବନ୍ଦ ରହୁଥିବାରୁ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ପଢନ୍ତୁ; ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି