News

ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ତୁରନ୍ତ ଫେରାଇବା ପାଇଁ ପୁଲିସ କମିସନର୍‌ଙ୍କ କଡ଼ା ନିର୍ଦେଶ

By ENO Beuro

November 03, 2017

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଜବତ କରାଯାଇଥିବା ବାଇକ୍‌ଗୁଡ଼ିକୁ ଥାନା ସମ୍ମୁଖରୁ ହଟାଇବା ସହିତ ଚୋରା ମୋବାଇଲ୍‌ଗୁଡିକୁ ପ୍ରକୃତ ମାଲିକମାନଙ୍କୁ ଫେରାଇବାକୁ କଡ଼ା ନିର୍ଦେଶ ଦେଇଛନ୍ତି । ମାସକ ମଧ୍ୟରେ ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକଗୁଡିକୁ ଫେରାଇବାକୁ ସମସ୍ତ ଥାନା ଇନ୍ସପେକ୍ଟରମାନଙ୍କୁ ଜଣାଇ ଦିଆଯାଇଛି।

ପ୍ରତ୍ୟେକ ଦିନ ବିଭିନ୍ନ ଥାନା ଅଞ୍ଚଳରେ ବାଇକ ଓ ମୋବାଇଲ୍‌ ଫୋନ୍‌ ଚୋରି ହେଉଛି। ଏ ନେଇ ବିଭିନ୍ନ ଥାନା ପୁଲିସ ମାମଲା ରୁଜୁ କରି ଅପରାଧୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମୋବାଇଲ୍‌ ଫୋନ୍‌ ଓ ଚୋରା ବାଇକ୍‌ ଜବତ କରୁଛି। ଏଣୁ ରାଜଧାନୀର ବିଭିନ୍ନ ଥାନା ସମ୍ମୁଖରେ ଶହ ଶହ ସଂଖ୍ୟାରେ ବାଇକ୍‌ ଖତ ଖାଉଛି ଓ ହଜାର ହଜାର ସଂଖ୍ୟାରେ ଚୋରା ମୋବାଇଲ୍‌ ଫୋନ୍‌ ମଧ୍ୟ ଥାନାରେ ପକାଇ ରଖିଛି କମିସନରେଟ ପୁଲିସ। ଖରା, ବର୍ଷା ଓ କାକରରେ ପଡ଼ି ରହି ଜବତ ବାଇକ୍‌ଗୁଡିକ ନଷ୍ଟ ମଧ୍ୟ ହୋଇ ଯାଉଛି। ମୋବାଇଲ ଫୋନ୍‌ ମଧ୍ୟ ପଡ଼ି ପଡ଼ି ଅଚଳ ହୋଇଯାଉଛି। ବିଭିନ୍ନ ସମୟରେ ଜବତ ହେଉଥିବା ବାଇକ୍‌ର ଯନ୍ତ୍ରାଂଶ ଥାନାରେ ଖୋଲି ନିଆଯାଉଥିବା ଅଭିଯୋଗ ହୋଇଥାଏ। ବାଇକ୍‌ ମାଲିକମାନେ ବାଇକ ନେବାବେଳେ ବ୍ୟାଟେରି, ଚକା, ସାଇଲେନ୍ସର ଆଦି ଯନ୍ତ୍ରାଂଶ ନ ଥାଏ। ମୋବାଇଲ୍‌ ଫୋନ୍‌ରେ ମଧ୍ୟ ବ୍ୟାଟେରି ନ ଥିବାବେଳେ, ଅଚଳ ହୋଇଥିବା ମୋବାଇଲ୍‌ ଫୋନ୍‌ ଧରାଇ ଦିଆଯାଇଥାଏ ମାଲିକମାନଙ୍କୁ।

ତେଣୁ ସେ ବାଇକ୍‌ରେ ଥିବା ନମ୍ବର, ଚେଚିସ୍‌ ନମ୍ବରକୁ ଆଧାର କରି ମାଲିକମାନଙ୍କୁ ଖୋଜିବାକୁ ଥାନାର ପୁଲିସ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଆର୍‌ଟିଓ କର୍ତୃପକ୍ଷଙ୍କ ସହଯୋଗ ନେବାକୁ ଚିଠି ଲେଖିବାକୁ ଏବଂ ଜବତ ହୋଇଥିବା ମୋବାଇଲ୍‌ ଫୋନ୍‌ର ଇଏମ୍‌ଆଇ ନମ୍ବର ଯାଞ୍ଚ କରି ମାଲିକମାନଙ୍କୁ ଖବର ଦେବାକୁ ତାଗିଦ କରିଛନ୍ତି। ଯାହା ଫଳରେ ତୁରନ୍ତ ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଥାନାରୁ ନେଇପାରିବେ ।

ଏହାଛଡ଼ା ଏହି ମାସ ଆରମ୍ଭରୁ ଯେଉଁ ସବୁ ମୋବାଇଲ୍‌ ଫୋନ୍‌ ଓ ବାଇକ ଜବତ ହେଉଛି ସେଗୁଡିକ ତୁରନ୍ତ ମାଲିକମାନଙ୍କୁ ଫେରାଇବାକୁ ମଧ୍ୟ କୁହାଯାଇଛି। ଯେଉଁ ବାଇକ୍‌ର ମାଲିକ ଓ ମୋବାଇଲ୍‌ ଫୋନ୍‌ର ମାଲିକାନା ଚିହ୍ନଟ ହୋଇ ପାରୁନାହିଁ, ଯେଉଁମାନେ ଇନ୍ସୁରାନ୍ସ କରି ବାଇକ୍‌ ଓ ମୋବାଇଲ ଫୋନ୍‌ ବାବଦ ଟଙ୍କା ପାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ନିଲାମ କରିବାକୁ ନିର୍ଦେଶ ହୋଇଛି।

ପଢନ୍ତୁ, ୨୦୧୮ ଫେବ୍ରୁଆରି ୬ ସୁଦ୍ଧା ମୋବାଇଲରେ ଆଧାର ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ