News

କ’ଣ ପ୍ରକୃତରେ ଅଟଳ ଜୀ ଆଉ ନାହାନ୍ତି? କେମିତି କହିଦେବି, କେମିତି ମାନିନେବି, ସେ ଆଉ ନାହାନ୍ତି ବୋଲି: ପ୍ରଧାନମନ୍ତ୍ରୀ

ମୋ ଅଟଳ ଜୀ

ଅଟଳ ଜୀ ଏବେ ଆଉ ନାହାନ୍ତି। ମନ ମାନୁ ନାହିଁ । ଅଟଳ ଜୀ, ମୋ ଆଖି ସାମ୍ନାରେ ଅଛନ୍ତି, ସ୍ଥିର ଅଛନ୍ତି । ସେ ମୋ ପିଠିରେ ହାତ ବୁଲାଉଛନ୍ତି, ସେ ସ୍ନେହରେ, ସ୍ମିତହାସ୍ୟର ସହିତ ମୋତେ କୋଳେଇ ନେଉଛନ୍ତି, ସେ ସ୍ଥିର ଅଛନ୍ତି । ଅଟଳ ଜୀଙ୍କ ଏହି ସ୍ଥିରତା ମୋତେ ବ୍ୟତିବ୍ୟସ୍ତ କରିଦେଉଛି, ଅସ୍ଥିର କରିଦେଉଛି । ଆଖିରେ ଏକ ଜ୍ୱଳନ ଭଳି ଅନୁଭବ ହେଉଛି, କିଛି କହିବାକୁ ଅଛି, ବହୁତ କିଛି କହିବାକୁ ଅଛି କିନ୍ତୁ କହିପାରୁନାହିଁ । ମୁଁ ନିଜକୁ ବାରମ୍ବାର ବିଶ୍ୱାସ ଦେବାକୁ ଚାହୁଁଛି ଯେ ଅଟଳ ଜୀ ଏବେ ଆଉ ନାହାନ୍ତି, କିନ୍ତୁ ଏହି ବିଚାର ଆସିବା ମାତ୍ରେ ହିଁ ନିଜକୁ ଏହି ବିଚାର ଠାରୁ ଦୂରେଇ ନେଉଛି ।

କ’ଣ ପ୍ରକୃତରେ ଅଟଳ ଜୀ ଆଉ ନାହାନ୍ତି ? ନା । ମୁଁ ତାଙ୍କର ସ୍ୱର ନିଜ ଭିତରେ ଗୁଞ୍ଜରିତ ହେଉଥିବା ଅନୁଭବ କରୁଛି, କେମିତି କହିଦେବି, କେମିତି ମାନିନେବି, ସେ ଆଉ ନାହାନ୍ତି ବୋଲି!

ସେ ପଞ୍ଚତତ୍ୱରେ ବିଲୀନ । ସେ ଆକାଶ, ପୃଥିବୀ, ଜଳ, ଅଗ୍ନି, ବାୟୁ, ସବୁଥିରେ ବ୍ୟାପ୍ତ, ସେ ଅଟଳ ଅଟନ୍ତି, ସେ ଏବେ ମଧ୍ୟ ଅଛନ୍ତି । ଯେତେବେଳେ ମୁଁ ପ୍ରଥମେ ତାଙ୍କୁ ଭେଟିଲି, ସେହି ସ୍ମୃତି ଏପରି ଲାଗୁଛି ଯେମିତି ଗତକାଲିର କଥା । ଏତେ ବଡ଼ ନେତା, ଏତେ ବଡ଼ ବିଦ୍ୱାନ । ଲାଗୁଥିଲା ଯେପରି କାଚର ସେ ପାଖର ଦୁନିଆରୁ ବାହାରି କେହି ସାମ୍ନାକୁ ଆସିଛି । ଯାହାଙ୍କ ନାମ ଶୁଣିଥିଲି, ତାଙ୍କୁ ଏତେ ପଢ଼ିଥିଲି, ଯାହାଙ୍କୁ ନଭେଟି ମଧ୍ୟ, ଏତେ କଥା ତାଙ୍କ ଠାରୁ ଶିଖିଥିଲି, ସେ ମୋ ସାମ୍ନାରେ ଥିଲେ । ଯେତେବେଳେ ମୁଁ ପ୍ରଥମ ଥର ତାଙ୍କ ମୁହଁରୁ ମୋ ନାମ ଉଚ୍ଚାରଣ ଶୁଣିଲି, ମୋତେ ଲାଗିଲା ମୁଁ ସବୁକିଛି ପାଇସାରିଛି । ଅନେକ ଦିନ ପର୍ଯ୍ୟନ୍ତ ମୋ ନାମ ଉଚ୍ଚାରଣ କରୁଥିବା ତାଙ୍କର ସେହି ସ୍ୱର ମୋ କାନରେ ଗୁଞ୍ଜରିତ ହୋଇଥିଲା । ମୁଁ କେମିତି ଗ୍ରହଣ କରିନେବି ଯେ ସେହି ସ୍ୱର ଏବେ ନିରବ ହୋଇଯାଇଛି ?

କେବେ ଭାବିନଥିଲି ଯେ ଅଟଳ ଜୀଙ୍କ ବିଷୟରେ ଏପରି ଏକ ଲେଖା ପାଇଁ ମୋତେ କଲମ ଉଠାଇବାକୁ ପଡ଼ିବ । ଦେଶ ଏବଂ ଦୁନିଆରେ ଅଟଳଜୀଙ୍କର ଜଣେ ଷ୍ଟେଟ୍ସମ୍ୟାନ, ରାଷ୍ଟ୍ରନିତୀଜ୍ଞ, ଓଜସ୍ୱିନୀ ବକ୍ତା, ସମ୍ବେଦନଶୀଳ କବି, ବିଚାରବନ୍ତ ଲେଖକ, ନିର୍ଭୀକ ସାମ୍ବାଦିକ ଏବଂ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଭାବେ ପରିଚୟ ଥିଲା । କିନ୍ତୁ ମୋ ପାଇଁ ତାଙ୍କର ସ୍ଥାନ ଏସବୁ ଠାରୁ ଊର୍ଦ୍ଧରେ ଥିଲା । କେବଳ ଏଥିପାଇଁ ନୁହେଁ ଯେ ମୋତେ ତାଙ୍କ ସହିତ ବର୍ଷ ବର୍ଷ ଧରି କାମ କରିବାର ସୁଯୋଗ ମିଳିଥିଲା, ବରଂ ମୋ ଜୀବନ, ମୋ ଚିନ୍ତାଧାରା, ମୋ ଆଦର୍ଶ-ମୂଲ୍ୟବୋଧ ଉପରେ ଯେଉଁ ପ୍ରଭାବ ସେ ଛାଡ଼ିଯାଇଛନ୍ତି, ଯେଉଁ ବିଶ୍ୱାସ ସେ ମୋ ଉପରେ ପ୍ରକଟ କରିଥିଲେ, ତାହା ମୋତେ ଗଢ଼ିଥିଲା, ପ୍ରତ୍ୟେକ ପରିସ୍ଥିତିରେ ଅଟଳ ରହିବାକୁ ଶିଖାଇଥିଲା ।

atal

ଆମ ଦେଶରେ ଅନେକ ଋଷି, ମୁନି, ସନ୍ଥ, ମହାତ୍ମାଗଣ ଜନ୍ମ ନେଇଛନ୍ତି । ଦେଶର ସ୍ୱାଧୀନତା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିକାଶ ଯାତ୍ରାରେ ମଧ୍ୟ ଅସଂଖ୍ୟ ଲୋକ ନିଜ ଜୀବନକୁ ସମର୍ପି ଦେଇଛନ୍ତି । କିନ୍ତୁ ସ୍ୱାଧୀନତା ସଂଗ୍ରାମ ପରେ ଗଣତନ୍ତ୍ରର ରକ୍ଷା ଏବଂ ଏକବିଂଶ ଶତାବ୍ଦୀର ସଶକ୍ତ, ସୁରକ୍ଷିତ ଭାରତ ଲାଗି ଅଟଳ ଜୀ ଯାହା କରିଥିଲେ, ତାହା ଅଭୂତପୂର୍ବ ଅଟେ।

ତାଙ୍କ ପାଇଁ ରାଷ୍ଟ୍ର ସର୍ବୋପରି ଥିଲା- ବାକି ସବୁକିଛିର କୌଣସି ମହତ୍ୱ ନଥିଲା । ଇଣ୍ଡିଆ ଫାଷ୍ଟ- ଭାରତ ପ୍ରଥମ, ଏହି ମନ୍ତ୍ର ବାକ୍ୟ ତାଙ୍କ ଜୀବନର ଧ୍ୟେୟ ଥିଲା । ପୋଖରାନ ଦେଶ ପାଇଁ ଜରୁରୀ ଥିଲା, ପ୍ରତିବନ୍ଧକ ଏବଂ ସମାଲୋଚନାକୁ ସେ ଖାତିର କରିନଥିଲେ କାରଣ ଦେଶ ତାଙ୍କ ପାଇଁ ପ୍ରଥମ ଥିଲା । ସୁପର କମ୍ପ୍ୟୁଟର ନମିଳିଲା ନାହିଁ, କ୍ରାୟୋଜେନିକ ଇଞ୍ଜିନ ନମିଳିଲା ନାହିଁ ତ’ ପରୱା ନାହିଁ, ଆମେ ନିଜେ ତିଆରି କରିବୁ, ଆମେ ନିଜକୁ ନିଜ ଦମରେ ନିଜ ପ୍ରତିଭା ଏବଂ ବୈଜ୍ଞାନିକ କୁଶଳତା ବଳରେ ଅସମ୍ଭବ ଦେଖାଯାଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଇବୁ । ଏବଂ ସେ ଏପରି କଲେ ମଧ୍ୟ । ବିଶ୍ୱକୁ ଚକିତ କରିଦେଲେ । କେବଳ ଏକ ଶକ୍ତି ତାଙ୍କ ଭିତରେ କାମ କରୁଥିଲା-ଦେଶ ପ୍ରଥମର ଜିଦ୍।

କାଳର କପାଳରେ ଲେଖିବା ଏବଂ ଲିଭାଇବାର ଶକ୍ତି, ସାହସ ଏବଂ ଆହ୍ୱାନର ବାଦଲରେ ବିଜୟର ସୂର୍ଯ୍ୟ ଉଦୟ କରିବାର ଚମତ୍କାର ତାଙ୍କ ହୃଦୟରେ ଥିଲା କାରଣ ତାଙ୍କ ହୃଦୟ ଭାରତ ଲାଗି ପ୍ରଥମେ ସ୍ପନ୍ଦିତ ହେଉଥିଲା । ସେଥିପାଇଁ ପରାଜୟ ଏବଂ ବିଜୟ ତାଙ୍କୁ ପ୍ରଭାବିତ କରୁନଥିଲା । ସରକାର ଗଠନ ହେବା, ଗୋଟିଏ ଭୋଟ ପାଇଁ ସରକାର ଭାଙ୍ଗିବା, ତାଙ୍କ ସ୍ୱରରେ ପରାଜୟକୁ ମଧ୍ୟ ନଭଶ୍ଚୁମ୍ବୀ ବିଶ୍ୱାସରେ ବଦଳାଇବାର ଶକ୍ତି ଥିଲା । ଏପରି ଶକ୍ତି ଯାହା ଜିତୁଥିବା ଲୋକକୁ ମଧ୍ୟ ପରାଜୟବରଣ କରିବାକୁ ବାଧ୍ୟ କରୁଥିଲା ।

ଅଟଳ ଜୀ କେବେହେଲେ ଚିରାଚରିତ ରାସ୍ତାରେ ଯାଉନଥିଲେ । ସେ ସାମାଜିକ ଏବଂ ରାଜନୈତିକ ଜୀବନରେ ନୂଆ ରାସ୍ତା ନିର୍ମାଣ ଏବଂ ନିର୍ଦ୍ଧାରଣ କରିଥିଲେ । “ଝଡ଼ ମଧ୍ୟରେ ଦୀପ ଜଳାଇବା”ର କ୍ଷମତା ତାଙ୍କ ଭିତରେ ଥିଲା । ସମ୍ପୂର୍ଣ୍ଣ ସାହସର ସହିତ ସେ କିଛି ବି କହିବାର କ୍ଷମତା ରଖୁଥିଲେ । ତାଙ୍କର ବାଣୀ ସିଧାସଳଖ ଜନମାନସଙ୍କ ହୃଦୟକୁ ଭେଦି ଯାଉଥିଲା । ନିଜ କଥାକୁ କିପରି ରଖାଯିବ, କ’ଣ କହିବାକୁ ଅଛି ଏବେ କେତେ ଅକୁହା ରହିଗଲା, ସେ ବିଷୟରେ ତାଙ୍କର ଅଗାଧ ଜ୍ଞାନ ରହିଥିଲା ।

modi

ତାଙ୍କର ଦେଶ ସେବା, ବିଶ୍ୱରେ ମା’ ଭାରତୀଙ୍କ ମାନ ସମ୍ମାନକୁ ସେ ଯେଉଁ ଉଚ୍ଚତାକୁ ନେଇ ଯାଇଥିଲେ । ସେଥିପାଇଁ ତାଙ୍କୁ ଅନେକ ସମ୍ମାନ ମଧ୍ୟ ମିଳିଥିଲା । ଦେଶବାସୀ ତାଙ୍କୁ ଭାରତ ରତ୍ନ ଦେଇ ନିଜର ସମ୍ମାନ ମଧ୍ୟ ବଢ଼ାଇଲେ । କିନ୍ତୁ ସେ କୌଣସି ବିଶେଷଣ, କୌଣସି ସମ୍ମାନ ଠାରୁ ଊର୍ଦ୍ଧ୍ଵରେ ଥିଲେ ।

ଜୀବନ କିପରି ନିର୍ବାହ କରିବାକୁ ହୁଏ, ରାଷ୍ଟ୍ରର କାର୍ଯ୍ୟ କିପରି କରିବାକୁ ହୁଏ, ଏହା ସେ ନିଜ ଜୀବନ ମାଧ୍ୟମରେ ଅନ୍ୟମାନଙ୍କୁ ଶିଖାଇଥିଲେ । ସେ କହୁଥିଲେ, “ଆମେ କେବଳ ନିଜ ପାଇଁ ବଞ୍ଚିବା ନାହିଁ, ଅନ୍ୟମାନଙ୍କ ଲାଗି ମଧ୍ୟ ବଞ୍ଚିବା… ଆମେ ଦେଶ ପାଇଁ ଅଧିକରୁ ଅଧିକ ତ୍ୟାଗ କରିବା । ଯଦି ଭାରତର ସ୍ଥିତି ଦୟନୀୟ ଅଛି ତା’ହେଲେ ବିଶ୍ୱରେ ଆମକୁ ସମ୍ମାନ ମିଳିବ ନାହିଁ । କିନ୍ତୁ ଯଦି ଆମେ ସମସ୍ତେ ଦୃଷ୍ଟିରେ ମଧ୍ୟ ସୁସମ୍ପନ୍ନ ଅଟୁ ତ’ ବିଶ୍ୱ ଆମକୁ ସମ୍ମାନ କରିବ ।”

ଦେଶର ଗରିବ, ବଞ୍ଚିତ, ଶୋଷିତଙ୍କ ଜୀବନ ସ୍ତରକୁ ଉପରକୁ ଉଠାଇବା ଲାଗି ସେ ଆଜୀବନ ପ୍ରୟାସ କରିଚାଲିଥିଲେ । ସେ କହୁଥିଲେ, “ଦାରିଦ୍ର୍ୟ, ଦରିଦ୍ରତା ଗରିମାର ବିଷୟ ନୁହେଁ, ବରଂ ଏହା ବାଧ୍ୟବାଧକତା ଅଟେ, ନାଚାରପଣ ଅଟେ ଏବଂ ବାଧ୍ୟବାଧକତାର ନାମ ସନ୍ତୋଷ ହୋଇପାରିବ ନାହିଁ । କୋଟି କୋଟି ଦେଶବାସୀଙ୍କୁ ଏହି ବାଧ୍ୟବାଧକତାରୁ ମୁକ୍ତି ଦେବା ଲାଗି ସେ ଯଥାସମ୍ଭବ ପ୍ରୟାସ କରିଥିଲେ । ଗରିବକୁ ଅଧିକାର ଦେବା ଲାଗି ଦେଶରେ ଆଧାର ଭଳି ବ୍ୟବସ୍ଥା, ପ୍ରକ୍ରିୟାକୁ ଅଧିକରୁ ଅଧିକ ସରଳ କରିବା, ପ୍ରତ୍ୟେକ ଗାଁକୁ ସଡ଼କ, ସ୍ୱର୍ଣ୍ଣ ଚତୁର୍ଭୁଜ, ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ରାଷ୍ଟ୍ର ନିର୍ମାଣ ଲାଗି ତାଙ୍କ ସଂକଳ୍ପ ସହ ଯୋଡ଼ି ହୋଇଥିଲା ।

ଆଜି ଭାରତ ଯେଉଁ ଟେକ୍ନୋଲୋଜିର ଶୀର୍ଷରେ ଛିଡ଼ା ହୋଇଛି ତାର ମୂଳଦୁଆ ମଧ୍ୟ ଅଟଳ ଜୀ ପ୍ରତିଷ୍ଠା କରିଥିଲେ । ସେ ନିଜ ସମୟ ଠାରୁ ଆହୁରି ଆଗକୁ ଦେଖିପାରୁଥିଲେ- ସ୍ୱପ୍ନଦ୍ରଷ୍ଟା ଥିଲେ କିନ୍ତୁ କର୍ମବୀର ମଧ୍ୟ ଥିଲେ । କବି ହୃଦୟ, ଭାବନାତ୍ମକ ମନ ତାଙ୍କ ପାଖରେ ଥିଲା ତ’ ପୁଣି ସୈନିକ ଭଳି ପରାକ୍ରମୀ ମନୋଭାବ ତାଙ୍କ ପାଖରେ ରହିଥିଲା । ସେ ବିଦେଶ ଯାତ୍ରା କରିଥିଲେ । ଯେଉଁ ସ୍ଥାନକୁ ସେ ଗଲେ ସ୍ଥାୟୀ ମିତ୍ର କଲେ ଏବଂ ଭାରତର ସ୍ୱାର୍ଥ ପାଇଁ ସ୍ଥାୟୀ ମୁଳଦୁଆ ପ୍ରତିଷ୍ଠା କରି ଚାଲିଲେ । ସେ ଭାରତର ବିଜୟ ଏବଂ ବିକାଶର ସ୍ୱର ଥିଲେ ।

ଅଟଳ ଜୀଙ୍କ ପ୍ରଖର ରାଷ୍ଟ୍ରବାଦ ଏବଂ ରାଷ୍ଟ୍ର ଲାଗି ସମର୍ପଣ କୋଟି କୋଟି ଦେଶବାସୀଙ୍କୁ ସବୁବେଳେ ଅନୁପ୍ରାଣିତ କରିଆସିଛି । ରାଷ୍ଟ୍ରବାଦ ତାଙ୍କ ପାଇଁ କେବଳ ଏକ ସ୍ଲୋଗାନ ନଥିଲା ବରଂ ଏକ ଜୀବନଶୈଳୀ ଥିଲା । ସେ ଦେଶକୁ କେବଳ ଏକ ଭୂଖଣ୍ଡ, ଭୂମିର ଖଣ୍ଡ ବୋଲି ମାନୁନଥିଲେ, ବରଂ ଏକ ଜୀବନ୍ତ, ସମ୍ବେଦନଶୀଳ ସଂସ୍ଥା ଭାବେ ଦେଖୁଥିଲେ । “ଭାରତ ଭୂମିର ଖଣ୍ଡ ନୁହେଁ, ଜୀବନ୍ତ ରାଷ୍ଟ୍ରପୁରୁଷ ଅଟେ” । ଏହା କେବଳ ଭାବନା ନଥିଲା, ବରଂ ତାଙ୍କର ସଂକଳ୍ପ ଥିଲା, ଏଥିପାଇଁ ସେ ନିଜ ଜୀବନ ବାଜି ଲଗାଇ ଦେଇଥିଲେ । ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ବ୍ୟାପିଥିବା ସାଧାରଣ ଜୀବନରେ ସେ ନିଜର ଏହି ବିଚାରକୁ ନେଇ ବଞ୍ଚିବାରେ, ଏହାକୁ ଭୂମିଗତସ୍ତରରେ କାମରେ ଲଗାଇବାରେ ବିତାଇ ଦେଇଥିଲେ । ଜରୁରୀ ପରିସ୍ଥିତି ଆମ ଗଣତନ୍ତ୍ର ଉପରେ ଯେଉଁ ଦାଗ ଲଗାଇଥିଲା ତା’କୁ ଦୂର କରିବାରେ ଅଟଳ ଜୀଙ୍କ ପ୍ରୟାସକୁ ଦେଶ ସବୁବେଳେ ମନେ ରଖିବ ।

ରାଷ୍ଟ୍ରଭକ୍ତିର ଭାବନା, ଜନସେବାର ପ୍ରେରଣା ତାଙ୍କ ନାମ ଅନୁକୂଳ ଅଟଳ ରହିଥିଲା । ଭାରତ ତାଙ୍କ ହୃଦୟରେ ଥିଲା, ଭାରତୀୟତା ତାଙ୍କ ଶରୀରରେ । ସେ ଦେଶର ଜନତାଙ୍କୁ ମଧ୍ୟ ନିଜ ଆରାଧ୍ୟ ବୋଲି ଭାବୁଥିଲେ । ଭାରତର ପ୍ରତ୍ୟେକ କଣିକାକୁ, ଗୋଡ଼ି ମାଟିକୁ, ଭାରତର ପ୍ରତ୍ୟେକ ବୁନ୍ଦାକୁ, ପବିତ୍ର ଏବଂ ପୂଜନୀୟ ବୋଲି ଗ୍ରହଣ କରିଥିଲେ ।

ଯେତିକି ସମ୍ମାନ, ଯେତିକି ଉଚ୍ଚତା ଅଟଳ ଜୀଙ୍କୁ ମିଳିଥିଲା ତା’ ଠାରୁ ଅଧିକ ସେ ତୃଣମୂଳସ୍ତରରେ ଯୋଡ଼ି ହୋଇ ରହିଥିଲେ । ନିଜ ସଫଳତାକୁ ମଧ୍ୟ ସେ ନିଜ ମସ୍ତିଷ୍କ ଉପରେ ପ୍ରଭାବୀ ହେବାକୁ ଦେଇନଥିଲେ । ପ୍ରଭୁଙ୍କ ଠାରୁ ଯଶ, କୀର୍ତ୍ତିର କାମନା ଅନେକ ଲୋକ କରିଥାନ୍ତି, କିନ୍ତୁ ଅଟଳ ଜୀ ହିଁ ଥିଲେ ଯିଏ କହିଥିଲେ,

“ହେ ପ୍ରଭୁ ! ମୋତେ ଏତେ ଉଚ୍ଚତା କେବେ ଦିଅ ନାହିଁ ।

ଅନ୍ୟମାନଙ୍କୁ ଆଲିଙ୍ଗନ କରିପାରିବି ନାହିଁ, ଏତେ ଦୂରତା କେବେ ଦିଅ ନାହିଁ” ନିଜ ଦେଶବାସୀଙ୍କ ସହ ଏତେ ସହଜରେ ଏବଂ ସରଳତାର ସହିତ ଯୋଡ଼ି ହୋଇ ରହିବାର ଏହି କାମନା ହିଁ ତାଙ୍କୁ ସାମାଜିକ ଜୀବନରେ ଏକ ଭିନ୍ନ ସୋପାନରେ ନେଇ ଛିଡ଼ା କରୁଥିଲା।

ସେ ଯନ୍ତ୍ରଣା ସହୁଥିଲେ, କଷ୍ଟକୁ ଚୁପଚାପ ନିଜ ଭିତରେ ସମାହିତ କରିଦେଉଥିଲେ, କିନ୍ତୁ ସମସ୍ତଙ୍କୁ ଅମୃତ ପ୍ରଦାନ କରିଚାଲିଥିଲେ-ସାରା ଜୀବନ । ଯେତେବେଳେ ତାଙ୍କୁ କଷ୍ଟ ହେଉଥିଲା ସେ କହୁଥିଲେ- “ଦେହ ଧାରଣ କୋ ଦଣ୍ଡ ହୈ, ସବ୍ କାହୁ କୋ ହୋୟ, ଜ୍ଞାନୀ ଭୁଗତେ ଜ୍ଞାନ ସେ ମୁରଖ ଭୁଗତେ ରୋଏ”- ଦେହ ଧାରଣ ଏକ ଦଣ୍ଡ ଅଟେ, ଯାହା ସମସ୍ତେ ଭୋଗନ୍ତି, ଜ୍ଞାନୀ ଏହାକୁ ଜ୍ଞାନ ରୂପେ ଗ୍ରହଣ କରିନିଏ କିନ୍ତୁ ମୂର୍ଖ କେବଳ କାନ୍ଦୁଥାଏ । ସେ ଜ୍ଞାନ ମାର୍ଗରେ ଅତ୍ୟନ୍ତ ଗଭୀର ଯନ୍ତ୍ରଣାକୁ ମଧ୍ୟ ସହିଥିଲେ ଏବଂ ଅତ୍ୟନ୍ତ ଦ୍ୱେଷମୁକ୍ତ ଭାବନା ସହିତ ବିଦାୟ ନେଇଥିଲେ.। ଯଦି ଭାରତ ତାଙ୍କ ଶିରାପ୍ରଶିରରେ ଥିଲା ତ’ ବିଶ୍ୱର ବେଦନା ତାଙ୍କ ମର୍ମକୁ ଭେଦୁଥିଲା । ଏହି କାରଣରୁ ହିରୋସିମା ଭଳି କବିତାର ଜନ୍ମ ହୋଇଥିଲା । ସେ ବିଶ୍ୱ ନାୟକ ଥିଲେ । ମା’ ଭାରତୀର ପ୍ରକୃତ ବିଶ୍ୱ ନାୟକ । ଭାରତର ସୀମା ଠାରୁ ଊର୍ଦ୍ଧ୍ଵରେ ଭାରତର କିର୍ତ୍ତି ଏବଂ କରୁଣାର ବାର୍ତ୍ତା ପ୍ରତିଷ୍ଠା କରିଥିବା ଆଧୁନିକ ବୁଦ୍ଧ।

କିଛି ବର୍ଷ ପୂର୍ବେ ଲୋକସଭାରେ ଯେତେବେଳେ ତାଙ୍କୁ ବର୍ଷର ସର୍ବଶ୍ରେଷ୍ଠ ସାଂସଦ ସମ୍ମାନରେ ସମ୍ମାନିତ କରାଗଲା ତ’ ସେ କହିଥିଲେ, “ଏ ଦେଶ ଅତି ଅଦ୍ଭୂତ, ଅଭିନବ ଅଟେ । କୌଣସି ଏକ ପଥରକୁ ସିନ୍ଦୂର ଲଗାଇ ଅଭିବାଦନ କରାଯାଏ, ଅଭିନନ୍ଦନ କରାଯାଇପାରେ ।”

ନିଜ ପୁରୁଷାର୍ଥକୁ, ନିଜ କର୍ତ୍ତବ୍ୟନିଷ୍ଠାକୁ ରାଷ୍ଟ୍ର ଲାଗି ସମର୍ପିତ କରିବା ତାଙ୍କ ବ୍ୟକ୍ତିତ୍ୱର ମହାନତାକୁ ପ୍ରତିଫଳିତ କରିଥାଏ । ଏହା 125 କୋଟି ବେଶବାସୀଙ୍କ ପାଇଁ ତାଙ୍କର ସବୁଠୁ ବଡ଼ ଏବଂ ପ୍ରଖର ବାର୍ତ୍ତା ଅଟେ । ଦେଶର ସାଧନ, ସମ୍ବଳ ଉପରେ ସମ୍ପୂର୍ଣ୍ଣ ଭରସା କରି, ଆମକୁ ଏବେ ଅଟଳ ଜୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ହେବ, ତାଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବାକୁ ହେବ ।

ନୂତନ ଭାରତର ଏହି ସଂକଳ୍ପ, ଏହି ଭାବନା ନେଇ ମୁଁ ନିଜ ପକ୍ଷରୁ ଏବଂ 125 କୋଟି ଦେଶବାସୀଙ୍କ ପକ୍ଷରୁ ଅଟଳ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ତାଙ୍କୁ ପ୍ରଣାମ କରୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପଢନ୍ତୁ; ଅଗଷ୍ଟ ୧୫ରେ ଶୁଭାରମ୍ଭ ହେଲା ଇଏମଇ ସାଇକ୍ଲିଂ ଅଭିଯାନ

Related posts

ଓଡ଼ିଶାରେ ହୋଇପାରେ ଝଡ଼ବର୍ଷା

ENO Beuro

ଆମେରିକୀୟ ଧାରାବାହିକ ‘କ୍ୱାଣ୍ଟିକୋ’ ପାଇଁ କ୍ଷମା ମାଗିଲେ ପ୍ରିୟଙ୍କା!

ENO Beuro

India Bags 7 Medals On The Opening Day Of The 22nd Asian Athletics Championships

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More