ଇମ୍ରାନ୍ ଖାନ୍ଙ୍କୁ ଗାଦିରୁ ହଟାଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଶେହବାଜ୍ ସରିଫ୍ ଏବେ ଭାଇ ନଓ୍ଵାଜ ସରିଫ୍ଙ୍କୁ ଦେଶକୁ ଫେରାଇ ଆଣିବା ଉପରେ ଅଧିକ ଜୋର୍ ଦେଉଛନ୍ତି। ସେ ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଏ ନେଇ ଘୋଷଣା କରିଥିଲେ। ଏବେ ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ପାକିସ୍ତାନ ଫେରିବା ରାସ୍ତା ପରିଷ୍କାର ହୋଇଛି। ସେ ବ୍ରିଟେନ୍ରୁ ଫେରିବା ପାଇଁ ପାକିସ୍ତାନ ସରକାର ପାସ୍ପୋର୍ଟ ଜାରି କରିଛନ୍ତି। ରିପୋର୍ଟ ମୁତାବକ, ନଓ୍ଵାଜ୍ଙ୍କ ପାସ୍ପୋର୍ଟର ଅବଧି ଗତ ବର୍ଷରୁ ହିଁ ସରିଯାଇଛି। କିନ୍ତୁ ଇମ୍ରାନ୍ ଖାନ୍ ସରକାର ତାହାକୁ ଅପ୍ଡେଟ୍ କରୁନଥିଲେ। ଏହି କାରଣରୁ ନଓ୍ଵାଜ ସରିଫ୍ ଲଣ୍ଡନ୍ରେ ହିଁ ରହୁଛନ୍ତି। କିନ୍ତୁ ଏବେ ତାଙ୍କ ସାନ ଭାଇ ପ୍ରଧାନମନ୍ତ୍ରୀ ହେବା ପରେ ସର୍ବ ପ୍ରଥମେ ଏହି କାମ କରି ଭାଇଙ୍କୁ ଦେଶକୁ ଫେରାଇ ଆଣିବାରେ ଲାଗିପଡ଼ିଛନ୍ତି। ସେ ନଓ୍ଵାଜ୍ ସରିଫ୍ଙ୍କ ପାଇଁ ଯେଉଁ ପାସ୍ପୋର୍ଟ ଜାରି କରିଛନ୍ତି, ତାହା ସାଧାରଣ ଓ ତତ୍କାଳ କାଟାଗୋରୀର। ଏହି ପାସ୍ପୋର୍ଟ ଜାରି କରିବା ତାରିଖ ହେଉଛି ୨୩ ଏପ୍ରିଲ ୨୦୨୨ ଓ ଏହା ୧୦ ବର୍ଷ ଯାଏଁ ବୈଧ ରହିବ।
ପାକିସ୍ତାନରେ ୩ ଥର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ୭୨ ବର୍ଷୀୟ ନଓ୍ଵାଜ ସରିଫ୍ଙ୍କ ଉପରେ ଇମ୍ରାନ୍ ଖାନ୍ ସରକାର ଭ୍ରଷ୍ଟାଚାର ଅଭିଯୋଗ କରି ଅନେକ ମାମଲାର ଯାଞ୍ଚ ଆରମ୍ଭ କରିଥିଲେ। ଏହା ପରେ ନଓ୍ଵାଜ୍ ସରିଫ୍ ୨୦୧୯ ମସିହାରେ ଲହୋର ହାଇକୋର୍ଟରୁ ଅନୁମତି ନେଇ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ତାଙ୍କ ପାସ୍ପୋର୍ଟର ଅବଧି ସରିଯାଇଥିଲା। କିନ୍ତୁ ଇମ୍ରାନ୍ ସରକାର ତାଙ୍କ ପାସ୍ପୋର୍ଟ ରିନ୍ୟୁ କରାଇନଥିଲେ ଓ ସେ ଲଣ୍ଡନରେ ହିଁ ରହିବାକୁ ବାଧ୍ୟ ହୋଇଥିଲେ।