ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ୪ ଅପରାଧୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତୃତୀୟ ଥର ପାଇଁ ଜାରି କରା ଯାଇଥିବା ମୃତ୍ୟୁ ପରଓ୍ଵାନା ବା ‘ଡେଥ୍ ଓ୍ଵାରେଣ୍ଟ’ ଉପରେ ରହିତାଦେଶ ଜାରି କରିବା ପାଇଁ ଅପରାଧୀମାନଙ୍କ ଓକିଲ ଆଜି ଅପରାହ୍ଣରେ ଦିଲ୍ଲୀର ପାତିଆଲା ହାଉସ ଅଦାଲତରେ ଏକ ମାମଲା ଆଗତ କରିଛନ୍ତି। ଆଜି ଅପରାଧୀ ଅକ୍ଷୟ ସିଂହ ପକ୍ଷରୁ ଜାରି ମୃତ୍ୟୁ ପରଓ୍ଵାନା ଉପରେ ରହିତାଦେଶ ଜାରି କରିବା ପାଇଁ ଏକ ମାମଲା ଆଗତ କରାଯାଇଛି।
ଅପରାଧୀ ଅକ୍ଷୟ ସିଂହ ପକ୍ଷରୁ ଆଗତ ମାମଲାରେ ତାଙ୍କ ଓକିଲ ଦର୍ଶାଇଛନ୍ତି ଯେ ଅକ୍ଷୟ ସିଂହ ଗତ ମଙ୍ଗଳବାର ଦିନ ରାଷ୍ଟ୍ରପତିଙ୍କ ନିକଟରେ ଦ୍ୱିତୀୟ ରାଜକ୍ଷମା ଆବେଦନ ଦାଖଲ କରିଛି। ଏବଂ ଏହା ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ବିଚାରାଧୀନ ଅବସ୍ଥାରେ ରହିଛି। ତେଣୁ, ଏ ପରିସ୍ଥିତିରେ ଜାରି ମୃତ୍ୟୁ ପରଓ୍ଵାନା ଉପରେ ରହିତାଦେଶ ଜାରି କରାଯାଉ। ପଟିଆଲା ହାଉସ ଅଦାଲତର ଅତିରିକ୍ତ ଦୌରା ଜଜ୍ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ତିହାର ଜେଲ କର୍ତ୍ତୃପକ୍ଷ ଓ ଦିଲ୍ଲୀ ପୁଲିସ୍ ପ୍ରଶାସନକୁ ନୋଟିସ୍ ଜାରି କରିଛନ୍ତି। ଏବଂ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି (ଗୁରୁବାର)କୁ ଧାର୍ଯ୍ୟ କରିଛନ୍ତି।
ପଢନ୍ତୁ: ଏପ୍ରିଲ୍ ୨୮ ଦିନ ନିରାପଦରେ ପୃଥିବୀ ଅତିକ୍ରମ କରିବ ପ୍ରକାଣ୍ଡ ଗ୍ରହାଣୁ