News

ପିଆଜ ଆଣିଛି ସଙ୍କଟ : ଚାରି ମାସ ଧରି ଦର ଅସ୍ଥିର

ବଜାରରେ ପିଆଜ ଦର କ୍ରମାଗତ ଭାବେ ବଢ଼ିଚାଲିଛି ।  ଅନ୍ୟାନ୍ୟ ପନିପରିବା ଦର ଧୀରେ ଧୀରେ ଖସୁଥିବାବେଳେ ପିଆଜରେ ହାତ ମାରି ହେଉନି। ଦୀର୍ଘଦିନ ଧରି ପିଆଜ ଦର ଉଚ୍ଚା ରହିଥିବାରୁ ସାଧାରଣ ଖାଉଟି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ଅଗଷ୍ଟରୁ ପିଆଜ ଦର କ୍ରମାଗତ ଭାବେ ବଢ଼ିଚାଲିଛି। ସେତେବେଳେ ପିଆଜ ସଙ୍କଟରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରୁ ପିଆଜ ଆଣିବାକୁ ଯୋଜନା କରିଥିଲେ।

ଦୀର୍ଘ ଦିନ ଧରି ଅନ୍ୟାନ୍ୟ ରାଜ୍ୟରେ ପିଆଜ ଦର ଉଚ୍ଚା ଥିବାରୁ ଦିନକୁ ଦିନ ଓଡ଼ିଶା ବଜାରରେ ବି ପରିସ୍ଥିତି ଜଟିଳ ହେବାରେ ଲାଗିଛି।ପିଆଜ ଦର ଉଚ୍ଚା ରହିଥିବାବେଳେ ଦର ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ବି ହାତ ଟେକିଦେଇଛନ୍ତି।ସବୁ ରାଜ୍ୟ ଠାରୁ ଓଡିଶା ରେ ଏହା ଅଧିକ ପ୍ରଭାବ ପକେଇଛି ।

ବଜାରରେ ପିଆଜ ଦର କ୍ରମାଗତ ଭାବେ ବଢ଼ିଚାଲିବା ଉପରେ ପ୍ରତିକ୍ରିୟା ରଖି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଓଡ଼ିଶାକୁ ଆନ୍ଧ୍ରପ୍ରଦେଶର ତାରାପଲିଗୁଡ଼ମ ଓ କର୍ଣ୍ଣୁଲ ଏବଂ ବାଙ୍ଗାଲୋର ସମେତ ନାସିକରୁ ପିଆଜ ଆସିଥାଏ। ଏସବୁଠାରେ ବି ମୂଲ୍ୟ ଅଧିକ ରହିଛି।

ବିଶେଷ କରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ତଥା ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ଏବେ ପାର୍ବଣ ଚାଲିଥିବାରୁ ସେଠାରେ ପିଆଜ ଚାହିଦା ବଢିଛି। ଓଡ଼ିଶାରେ ପିଆଜ ଯୋଗାଣ ଠିକ୍‌ ଥିଲେ ବି ଉତ୍ସ ବଜାରରୁ ଅଧିକ ମୂଲ୍ୟରେ ଓଡ଼ିଶାକୁ ପିଆଜ ଆସୁଥିବାରୁ ଏଠାରେ ଦର ବୃଦ୍ଧି ଘଟୁଛି। ନୂଆ ପିଆଜ ବଜାରକୁ ଆସିବାକୁ ଆହୁରି ଦୁଇ ସପ୍ତାହ ସମୟ ଲାଗିଯିବ। ସେ ପର୍ଯ୍ୟନ୍ତ ପିଆଜ ଦର ଉଚ୍ଚା ରହିବ ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ଆମ ରାଜ୍ୟକୁ ମହାରାଷ୍ଟ୍ରର ନାସିକରୁ ଅଧିକ ପିଆଜ ଆସିଥାଏ। ପିଆଜର ଉତ୍ସ ଭାବେ ଜଣାଶୁଣା ନାସିକରେ ଏବେ ଦର ଉଚ୍ଚା ରହିଛି। ତେଣୁ ଏହାର ପ୍ରଭାବ କେବଳ ଓଡ଼ିଶା ନୁହେଁ; ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ପଡ଼ିଛି। ତେବେ ଓଡ଼ିଶାରେ ଦର ଉପରେ ନଜର ରଖାଯାଇଛି। ଅଧିକ ସଙ୍କଟ ଉପୁଜିଲେ ଏ ଦିଗରେ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ ହୋଇଛି ଯେ , ଓଡ଼ିଶାରେ ଏବେ ଆଳୁ ଓ ପିଆଜ ଚାଷ ଚାଲିଛି। ଉପକୂଳ ଓଡ଼ିଶା ସମେତ ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ାରେ ମଧ୍ୟ ପିଆଜ ଚାଷ ହୋଇଛି। ତେବେ ଏସବୁ ଅମଳ ପାଇଁ ଅଧିକ ସମୟ ଲାଗିଯାଇପାରେ। ସେ ପର୍ଯ୍ୟନ୍ତ ବଜାରରୁ ଖାଉଟି ଅଧିକ ମୂଲ୍ୟରେ ପିଆଜ କିଣିବାକୁ ବାଧ୍ୟ ହେବ।ରାଜ୍ୟରେ ଦିନକୁ ପ୍ରାୟ ୧୫୦୦ ଟନ୍‌ ପିଆଜ ଆସିଥାଏ; କିନ୍ତୁ ପିଆଜ ମୂଲ୍ୟରେ ବୃଦ୍ଧି ଯୋଗୁଁ ଯୋଗାଣ ପରିମାଣ ପ୍ରାୟ ୧୦୦୦ରୁ ୧୧୦୦ ଟନ୍‌କୁ କମିଯାଇଛି।

ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ଅଢ଼େଇରୁ ତିନି ଲକ୍ଷ ଟନ୍‌ ପିଆଜର ଆବଶ୍ୟକତା ପଡ଼ୁଥିବାବେଳେ ବର୍ଷକୁ ସାଢ଼େ ତିନି ଲକ୍ଷ ଟନ୍‌ ଉତ୍ପାଦନ ହେଉଛି। ହେଲେ ଅମଳ ସମୟରେ ପିଆଜ ମହଜୁଦ ରଖିବା ବ୍ୟବସ୍ଥା ନଥିବାରୁ ଚାଷୀ ଏହାକୁ ଅଳ୍ପ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଅମଳ ସମୟରେ ସଂରକ୍ଷଣ ସୁବିଧା ଅଭାବରୁ ଅଧିକାଂଶ ନଷ୍ଟ ହେଉଛି। ଏହା ଛଡ଼ା ପଶ୍ଚିମ ଓଡ଼ିଶାରେ ଅଧିକ ଅମଳ ହେଉଥିବା ଅଞ୍ଚଳରେ ଚାଷୀ ସ୍ୱଳ୍ପ ମୂଲ୍ୟରେ ବାହାର ରାଜ୍ୟର ବେପାରୀଙ୍କୁ ବିକ୍ରି କରିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି।

ପଢନ୍ତୁ ;

ଆପଣ ଜାଣିଛନ୍ତି କି ଲାଲ ଲଙ୍କା ଶରୀର ପାଇଁ ଅନେକ ଉପକାରୀ,ଯଦି ଜାଣିନାହାନ୍ତି ,ତାହାଲେ ଆସନ୍ତୁ ଜାଣିବା

Related posts

ଭୁବନେଶ୍ୱର ବଜାରରେ ନକଲି ଘିଅ, କାରଖାନା ଠାବ ସହ ୬ ଜଣ ଗିରଫ

ENO Beuro

ଫାଇଟର ଜେଟ୍‌କୁ ସଫଳତାର ସହ ଉଡ଼ାଇ ଏକ ନୂଆ ରେକର୍ଡ ସ୍ଥାପନ କଲେ ଅବନୀ ଚତୁର୍ବେଦୀ

ENO Beuro

ବିଶ୍ୱ ରେକର୍ଡ କଲା ଆସାମ ଚା’, କେଜି ପିଛା ୩୯,୦୦୧ ଟଙ୍କା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More