ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସେଥିମଧ୍ୟରୁ ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।
ଏହି ବୈଠକରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗକୁ ନୀତି ଡ୍ରାଫ୍ଟ ଦାୟିତ୍ୱ ଦିଆଯିବା ସହ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ କ୍ୟାବିନେଟରେ ମଂଜୁରୀ ମିଳିଛି। ସମସ୍ତ ସାର୍ବଜନୀନ ପାଠାଗାର, ନିର୍ଦ୍ଦେଶକଙ୍କ ଅଧୀନରେ ରହିବ ବୋଲି ବ୍ୟବସ୍ଥା କରାଯାଇଛି।
ଏହି ଖବର ସତ୍ୟବାଦୀ ଜନସାଧାରଣ ପାଇବାପରେ ଖୁସିର ଲହରୀ ଖେଳିଯାଇଛି। ସତ୍ୟବାଦୀରେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବହାରି ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।