News

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

By Krishna Kumar Manoj

March 05, 2018

ଗ୍ରାମାଞ୍ଚଳ ଲୋକଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେଲେ ଶ୍ରୀ ପଟ୍ଟନାୟକ

ଆଜି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଆଜି ସମଗ୍ର ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି । ପଞ୍ଚାୟତ ଦିବସ ଅବସରରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଆମ ଗାଁ ,ଆମ ବିକାଶ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଗ୍ରାମାଂଚଳର ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ ।  ଏଥିପାଇଁ ସାରା ରାଜ୍ୟରେ ପାଳନ କରାଯାଉଛି  ପଞ୍ଚାୟତିରାଜ ଦିବସ । ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଫରେଷ୍ଟ ପାର୍କ ଓ ବିଧାନସଭାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିଡିଓ କନଫେରେନ୍ସିଂ ମାଧ୍ୟମରେ ରାଜ୍ୟର ୪ ଟି ଜିଲ୍ଲା (ଯାଜପୁର, ସମ୍ବଲପୁର , ଗଂଜାମ ଓ କୋରାପୁଟ)ର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ପ୍ରଥମେ ଯାଜପୁର ଓ ସମ୍ବଲପୁରର ୨ ଟି ପଂଚାୟତ ଓ ପରେ ଗଂଜାମ ଓ କୋରାପୁଟ ଜିଲ୍ଲାର ୨ ଟି ପଂଚାୟତ ବାସୀଙ୍କ ସହିତ ଆଲୋଚନା କରିଥିଲେ । ସମ୍ପୃକ୍ତ ପଂଚାୟତରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ । ଏହି ସମସ୍ୟା ଗୁଡିକର ଦୂରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା ସହ କେତେକ ପ୍ରକଳ୍ପକୁ ମଂଜୁରୀ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯାଜପୁର ଜିଲ୍ଲାର ଖଇରାବାଦ ପଞ୍ଚାୟତ, ସମ୍ବଲପୁର ଜିଲ୍ଲାର ଶାସନ ପଞ୍ଚାୟତ, ଗଞ୍ଜାମର ସାନକୁଦ ଓ କୋରାପୁଟର ନାରାୟଣପାଟଣା ପଞ୍ଚାୟତର ୩୨ ପ୍ରକଳ୍ପ ପାଇଁ୨ କୋଟି ଟଙ୍କା ମଞ୍ଜୁର କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥଲେ ।

ପଢନ୍ତୁ ;

ଜାଆଁଳା ପୁତ୍ରର ଜନନୀ ହେଲେ ସନ୍ନି ଲିଓନ