News

ମୁଖ୍ୟମନ୍ତ୍ରୀ:ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

By Krishna Kumar Manoj

July 28, 2018

ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା । ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ରାଜ୍ୟର ନିଜସ୍ୱ ଯୋଜନା। ଏଥିରୁ କୌଣସି ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରୁ ଗରିବ ଲୋକ ବଞ୍ଚିତ ହେଉଛନ୍ତି।

ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ମଧ୍ୟ ରାଜ୍ୟର ୯ ଲକ୍ଷ ପରିବାର ବଂଚିତ ହୋଇଥିବା ଦର୍ଶାଇ ନବୀନ ଘୋଷଣା କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ରାଜ୍ୟର ୭୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଗଲା।

ଓଡ଼ିଶା ସରକାର ସବୁବେଳେ ଖାଦ୍ୟ ସୁରକ୍ଷା ଉପରେ ଜୋର ଦେଇ ଆସିଛନ୍ତି। ୨୦୦୮ରୁ ଗରିବ ଲୋକଙ୍କୁ ୨ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି। ଏହି ଯୋଜନାର ସଫଳତାକୁ ଅନୁଭବ କରି ୨୦୧୩ରେ ୧ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଢନ୍ତୁ; ଟ୍ରକ ଧର୍ମଘଟ ପ୍ରତ୍ୟାହୃତ