News

ରାଜ୍ୟରେ କାଳବୈଶାଖୀ ପ୍ରଭାବ:ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

By Krishna Kumar Manoj

May 14, 2018

ବଜ୍ରପାତ ନେଲା ଜୀବନ

ବଜ୍ରାଘାତ ଜଣଙ୍କର ଜୀବନ ନେଇଯାଇଛି। ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କନ୍ତୁର ଚାନ୍ଦପୁର ଗାଁର ନରେଶ ଦେହୁରୀ। ଗୁରୁତର ହୋଇପଡ଼ିଥିବା ଅମ୍ରିତ ମହାପାତ୍ରଙ୍କ ଘର ଆମ୍ବପଳାସ ଗାଁରେ। ଦୁଇଜଣ ଯାକ ଗାଁ ନିକଟସ୍ଥ ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ ତାଳଚେର ଡାକ୍ତରଖାନାକୁ ନିଆଯାଇଥିଲା।

ସୂଚନାଯୋଗ୍ୟ,ପୋଖରୀ ହୁଡାରେ ବାଇକ୍‌ ରଖି ପାଣିକୁ ପଶୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ସେଠାରେ ଅଚେତ ହୋଇ ପଡ଼ି ଯାଇଥିଲେ। ବର୍ଷା ହେବାରୁ ଦୀର୍ଘ ଏକ ଘଣ୍ଟା ପରେ ଅମିତଙ୍କ ଚେତା ଫେରିଆସିବାରୁ ସେ ନରେଶଙ୍କୁ ଉଠାଇ ଥିଲେ। ମାତ୍ର ସେ ଉଠି ନ ଥିଲେ। ପରେ ସେ ବାଇକ୍‌ ଯୋଗେ ଘରକୁ ଆସିଥିବା ବେଳେ ତାଙ୍କ ଶରୀରର କିଛି ଅଂଶ ପୋଡ଼ି ଯାଇଥିବା ଦେଖିଥିଲେ। ପରେ ତାଙ୍କର ଅଣ୍ଟା ତଳକୁ କାଲୁଆ ହୋଇଯିବାସହ ସେ ଅସୁସ୍ଥ ହୋଇପଡିଥିଲେ।

ତୁରନ୍ତ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅମିତଙ୍କଠାରୁ ଖବରପାଇ ଗ୍ରାମବାସୀ ପୋଖରୀ ହୁଡ଼ାରୁ ନରେଶଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ପରଜଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ପଢନ୍ତୁ; ମଦ ନିଶାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ସରଳ ଉପାୟ