News

କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ, ୪୦ ଜଣିଆ ଡାକ୍ତରୀ ଟିମ୍ ସାମିଲ

By Krishna Kumar Manoj

August 28, 2017

କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ ହେଇଛି । ଆଜି ସକାଳୁ ଏକ ୪୦ ଜଣିଆ ଡାକ୍ତରୀ ଦଳ ଏହି ଅପରେସନରେ ସାମିଲ ହୋଇଛନ୍ତି । ଏଥିରେ ଜାପାନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି । ଏହି ଟିମ୍‌ରେ ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ,କାର୍ଡିଓଲୋଜି ଓ ଶିଶୁ ବିଶେଷଜ୍ଞ ଡାକ୍ତର ସାମିଲ ହୋଇଛନ୍ତି । ଯାଆଁଳା ଶିଶୁଙ୍କ ଯୋଡା ମୁଣ୍ଡ ଅଲଗା ପାଇଁ ଦିଲ୍ଲୀ ଏମ୍‌ସରେ ଚାଲିଛି ଅପରେସନ ।

ଆଜି ଭୋର ୪ଟା ୪୫ ମିନିଟ୍‌ରେ ଜଗା-ବଳିଆଙ୍କୁ ଅସ୍ତ୍ରୋପଚାର ପାଇଁ ଓଟିକୁ ନିଆଯାଇଥିଲା। ସକାଳ ୯ଟାରେ ଅସ୍ତ୍ରୋପଚାର ଆରମ୍ଭ ହୋଇଛି ।ପ୍ରଥମ ପର୍ଯ୍ୟାୟ ଅପରେସନ୍‌ ସଫଳ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ କେବେ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଲଗାତର ମାସେ ଧରି ସବୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ନେତୃତ୍ୱରେ ଆଜି ସକାଳୁ ଅପରେସନ ଆରମ୍ଭ ହୋଇଛି । ହସପିଟାଲରେ ଆଡମିଟ୍ ପରେ ଦୁଇ ଶିଶୁଙ୍କ ଇସିଜି, ସିଟି ସ୍କାନ, ଏମ୍ଆରଆଇ, ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା କରାଯାଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁ ଦୁହିଁଙ୍କୁ ଆଇସିୟୁରେ ରଖାଯାଇଥିଲା। ସେଠାରେ ସେମାନଙ୍କର ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୁଇ ଶିଶୁଙ୍କ ଶରୀରରେ ଇନ୍‌ଫେକ୍ସନ ଥିବାରୁ ସେମାନଙ୍କୁ ଅବଜରଭେସନ୍‌ ରଖାଯାଇଥିଲା।

ରାଜ୍ୟ ସରକାର ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ଗତ ଜୁଲାଇ ୧୩ ତାରିଖରେ ଭୁବନେଶ୍ୱର ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇଥିଲେ ଜଗା-ବଳିଆ। ଏହାପରେ ଗତ ଜୁଲାଇ ୨୨ ତାରିଖରେ ନୂଆଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ଚିକିତ୍ସା ହୋଇଥିଲା।