ସରିଲା ପଞ୍ଚାୟତ ଭୋଟ୍। ଯେଉଁ ଭୋଟ୍ ପାଇଁ ଗାଁ ଗଣ୍ଡା ଉଠୁଥିଲା ପଡ଼ୁଥିଲା ତାହା ଆଜି ଶାନ୍ତ ପଡ଼ିଯାଇଛି। ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ମୋଟ୍ ୨ ଲକ୍ଷ ୨୦ ହଜାର ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ୍ ବାକ୍ସରେ ବନ୍ଦ ହୋଇଯାଇଛି। ଅପେକ୍ଷା ଭୋଟ୍ ଗଣତିକୁ। ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ବ୍ଲକ ମୁଖ୍ୟାଳୟରେ ଭୋଟ୍ ଗଣତି ହେବାକୁ ଥିବାବେଳେ ଭୋଟ୍ ବାକ୍ସ ଏବେ ଷ୍ଟ୍ରଙ୍ଗ ରୁମ୍ରେ ସିଲ୍ ହୋଇ ରହିଛି। କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ୍ ବାକ୍ସ ଥିଲେ ବି ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ଆଖିରେ ନିଦ ନାହିଁ। କାଳେ କିଛି ଏପଟସେପଟ ହୋଇଯିବ ସେଇ ଚିନ୍ତାରେ ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଡେରା ପକାଇଛନ୍ତି।
କେବଳ ଏତିକି ନୁହେଁ। ନିଜ ସମର୍ଥକଙ୍କ ଦ୍ବାରା ପ୍ରତି ସାହି, ୱାର୍ଡ ଅନୁଯାୟୀ କେତେ ଭୋଟ୍ ମିଳିଥିବ ସେନେଇ କାଗଜ କଲମରେ ହିସାବ ଚାଲିଛି। ଗୋଟିଏ ଗୋଟିଏ ଭୋଟ୍ ହିସାବର ପ୍ରାର୍ଥୀ କରୁଛନ୍ତି। ଯାହାର ଟକରାଟକରି ଉପରେ ରହୁଛି ସେମାନେ ଏବେ ପୂଜାର୍ଚ୍ଚନାରେ ଲାଗି ପଡ଼ିଛନ୍ତି। ଏପରିକି ନିର୍ବାଚନ ଜିତିଲେ କେଉଁ ଠାକୁରଙ୍କୁ କ’ଣ ଦେବେ ସେନେଇ ଯାଚି ସାରିଲେଣି। ଅପେକ୍ଷା ଘୋଷଣାକୁ।