ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ସରିଲାଣି। ନିର୍ବାଚିତ ପ୍ରତିନିଧି ଶପଥ ନେଇସାରିଲେଣି। ମାତ୍ର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗ୍ରୁମ୍ରୁ ଉଠୁନି ଇଭିଏମ୍ ମେସିନ୍। ପାଖାପାଖି ୨୦ ଦିନ ହେଲା ଭୋଟ ଗଣତି ଶେଷ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ଇଭିଏମ୍ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିନାହିଁ। ଯେଉଁଥିପାଇଁ ଏବେ ପିଲାଙ୍କ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି। କ୍ଲାସରୁମ୍ ଅଭାବରୁ ସବୁ ବିଷୟର କ୍ଲାସ୍ ହୋଇପାରୁନାହିଁ। ପୂର୍ବରୁ କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଥିବା ବେଳେ ଏବେ କ୍ଲାସ୍ରୁମ୍ଗୁଡ଼ିକୁ ଇଭିଏମ୍ ମେସିନ୍ ମାଡ଼ି ବସିଥିବାରୁ କ୍ଲାସ୍ କରାଇବା ପାଇଁ କର୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ୁଛି।ବିଏମ୍ସି ନିର୍ବାଚନ ଲାଗି ଏଥର ୧୪୧୦ଟି ଇଭିଏମ୍ ବ୍ୟବହୃତ ହୋଇଥିଲା। ସେଗୁଡ଼ିକୁ କମିସନିଂ ପରେ ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗ୍ରୁମ୍ ପରିସରରେ କଡ଼ା ସୁରକ୍ଷା ବଳୟରେ କ୍ଲାସରୁମ୍ ପରିସରରେ ରଖାଯାଇଛି। ୬ ମହଲା ବିଶିଷ୍ଟ ଏହି ବିଲଡିଂ ଉପର ଦୁଇଟି ମହଲାର ୧୧ଟି ରୁମ୍ରେ ଇଭିଏମ୍ ରହିଛି। ବାକି ୪ ମହଲା ନିର୍ବାଚନର କୌଣସି କାମରେ ଆସୁ ନ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବିଲଡିଂକୁ ତାଲା ମରାଯାଇ ରଖାଯାଇଛି। ପୁଲିସ ବି ମୁତୟନ ରହିଛନ୍ତି। ଯେଉଁଥିପାଇଁ ବାକି ମହଲାଗୁଡ଼ିକ କୌଣସି କାମରେ ଆସିପାରୁନାହିଁ। ଭିଭିପାଟ୍ ମେସିନ୍ ରହିଥିବାରୁ ସମ୍ପୂର୍ଣ୍ଣ କୋଠାକୁ ପୁଲିସ ଜଗି ରହିଛି। କୌଣସି ବି କର୍ମଚାରୀଙ୍କୁ କୋଠା ଭିତରକୁ ଛଡ଼ା ଯାଉନି। ଏମିତିକି ବରିଷ୍ଠ ଅଧିକାରୀଙ୍କୁ ଅନୁମତି ମିଳୁନାହିଁ। ଇଭିଏମ୍ ମେସିନ୍ ହଟାଇବା ଲାଗି କଲେଜ କର୍ତୃପକ୍ଷ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଚିଠି ଲେଖୁଛନ୍ତି। ମାତ୍ର କେହି ଶୁଣୁନାହାନ୍ତି କି ଇଭିଏମ୍ ଉଠାଉ ନାହାନ୍ତି।
ସେପଟେ କ୍ଲାସରୁମ୍ ଅଭାବ ଯୋଗୁଁ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ସମେତ କେତେକ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏହି କ୍ୟାମ୍ପସରେ ହେଉଛି। ଏହି ୬ ମହଲା ବିଶିଷ୍ଟ କୋଠାରେ କଲେଜର ଅଧିକାଂଶ କ୍ଲାସ ହୋଇଥାଏ। ଏକାଥରେ ହଜାରରୁ ଅଧିକ ପିଲା ବିଲ୍ଡିଂରେ ବସିପାରିଲା ଭଳି କ୍ଷମତା ମଧ୍ୟ ରହିଛି। ସମ୍ପୂର୍ଣ୍ଣ ବିଲ୍ଡିଂକୁ ବନ୍ଦ କରାଯିବା ଦ୍ବାରା ପାଠପଢ଼ା ପ୍ରଭାବିତ ହୋଇଛି। କ୍ୟାମ୍ପସର ବାକି କୋଠାରେ ଅଳ୍ପ ସଂଖ୍ୟକ କ୍ଲାସରୁମ୍ ରହିଥିବାରୁ ସେଠାରେ କଷ୍ଟେମଷ୍ଟେ କ୍ଲାସ କରାଯାଉଛି। ଦିନେ ଦିନେ କ୍ଲାସ କରିବାକୁ ପିଲାଙ୍କୁ ଏ ରୁମ୍ରୁ ସେ ରୁମ୍କୁ ଦୌଡ଼ିବାକୁ ପଡ଼ୁଥିବା ଜଣେ ଶିକ୍ଷକ କହିଛନ୍ତି।
ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭୋଟ ଗଣତି ସରିବାର ୭ ଦିନ ମଧ୍ୟରେ ଇଭିଏମ୍ଗୁଡ଼ିକୁ ଜିଲ୍ଲା ଟ୍ରେଜେରିକୁ ନିଆଯିବା କଥା। ମାତ୍ର ବିଭିନ୍ନ କାରଣ ଲାଗି ଉଠିପାରିନାହିଁ। ସମସ୍ୟା ନେଇ ଆମେ ଅବଗତ ରହିଛୁ। ଆସନ୍ତା ଦୁଇ ଦିନ ମଧ୍ୟରେ ୧୧ଟି ରୁମ୍ରେ ଥିବା ଇଭିଏମ୍ଗୁଡ଼ିକୁ ଦୁଇଟି ରୁମ୍କୁ ଅଣାଯିବ। ବାକି ୯ଟି ରୁମ୍ ପିଲାଙ୍କ ପାଠପଢ଼ା ପାଇଁ ଛାଡ଼ି ଦିଆଯିବ। ଏହାପରେ ଜିଲ୍ଲା କୋଷାଗାରକୁ ସେଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ।