ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ପଞ୍ଜାବ ସରକାର ଏବେ ସାଧାରଣ ଜନତା ପାଇଁ ବଡ ଘୋଷଣା କରିଛନ୍ତି। ଜନତାଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ମାନ୍ ସରକାର । ପଞ୍ଜାବ ବିଧାନସଭା ନିର୍ବାଚନରେ ଜବରଦସ୍ତ ବିଜୟ ପରେ ଆପ୍ ଏପରି ନିଷ୍ପତ୍ତି ନେଇଛି। ଜୁଲାଇ ୧ରୁ ରାଜ୍ୟବାସୀଙ୍କୁ ସରକାର ଦେବେ ଭେଟି। ଏହି ଦିନଠାରୁ ପ୍ରତି ଘରକୁ ୩୦୦ ୟୁନିଟ୍ ଯାଏଁ ଫ୍ରି ବିଜୁଳି ସୁବିଧା ମିଳିବ । ମାନ୍ ସରକାର ନିଜର ୩୦ ଦିନର କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କରିଛନ୍ତି । ଏହାସହ ବିଭିନ୍ନ ବିଜ୍ଞାପନ ଦ୍ୱାରା ଜୁଲାଇ ୧ରୁ ମାଗଣା ବିଜୁଳି ମିଳିବ ବୋଲି ମଧ୍ୟ ଦାବି କରୁଛନ୍ତି । ଏହାକୁ ନେଇ ସରକାର ଅଧିକାରୀ ଓଭରଟାଇମ କାମ କରୁଥିଲେ। ତେଣୁ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ। ପଞ୍ଜାବ ଷ୍ଟେଟ ପାଓ୍ଵାର କର୍ପୋରେସନ ଲିମିଟେଡ୍ ପାଖରେ ଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ପାଖାପାଖି ୭୩.୮୦ ଲକ୍ଷ ଘରୋଇ ଉପଭୋକ୍ତାଙ୍କ ମଧ୍ୟରୁ ୬୨.୨୫ ଲକ୍ଷ ଲୋକଙ୍କର ବିଜୁଳି ଖର୍ଚ୍ଚ ୩୦୦ ୟୁନିଟରୁ କମ୍ ରହିଛି। ତେଣୁ ସରକାର ଏହାର ଲାଭ ଉଠାଇବେ।
ପଞ୍ଜାବ ସରକାର ପୂର୍ବରୁ ବିଭିନ୍ନ ଶ୍ରେଣୀରେ ଘରୋଇ ଉପଭୋକ୍ତାଙ୍କୁ ପ୍ରତିବର୍ଷ ୩୯୯୮ କୋଟି ଟଙ୍କାର ସବସିଡି ପ୍ରଦାନ କରୁଛି। ବିଶେଷ ଭାବେ ଏସସି/ବିସି/ବିପିଏଲ୍ ଉପଭୋକ୍ତାଙ୍କୁ ପୂର୍ବରୁ ମାସକୁ ୨୦୦ ୟୁନିଟ ମାଗଣା ବିଜୁଳି ମିଳୁଥିଲା। ଯେଉଁଥିରେ ୭ କିଲୋଓ୍ଵାଟ୍ ପର୍ଯ୍ୟନ୍ତ ଲୋଡ୍ ନେଉଥିବା ଉପଭୋକ୍ତାଙ୍କୁ ବିଭିନ୍ନ ସ୍ଲାବ ପାଇଁ ୟୁନିଟ୍କୁ ୩ ଟଙ୍କାରୁ କମ୍ ପଇସା ନେଉଥିଲା।
ସୂଚନାଯୋଗ୍ୟ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଲୋକଙ୍କୁ ମାଗଣା ବିଜୁଳି ପ୍ରଦାନ କରୁଛି । ପଞ୍ଜାବରେ ଆପ୍ ସରକାର ଆସିଲେ ସେମାନେ ଏଠାରେ ମଧ୍ୟ ମାଗଣା ବିଜୁଳି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ଦିଲ୍ଲୀରେ ଯେପରି ପାଣି ଏବଂ ବିଜୁଳି ମାଗଣାରେ ଦିଆଯାଉଛି ସେହିଭଳି ଭାବେ ଚଣ୍ଡିଗଡରେ ମଧ୍ୟ ମାଗଣା ଦିଆଯିବ ବୋଲି କେଜ୍ରିଓ୍ୱାଲ୍ କହିଥିଲେ ।