ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସମାଲୋଚନା

‘ନମୋ ସୁଟ୍‌’ ପରେ ଏବେ ‘ରାହୁଲ ଜ୍ୟାକେଟ୍‌’

ସିଲଂରେ ନିକଟରେ ଅନୁଷ୍ଠିତ ଏକ ମ୍ୟୁଜିକ୍‌ କନ୍‌ସର୍ଟରେ ଅତିଥି ଭାବେ ଯୋଗଦେଇଥିବା ରାହୁଲ ଗାନ୍ଧୀ ଯେଉଁ ଜ୍ୟାକେଟ୍‌ ପିନ୍ଧିଥିଲେ ତାହାର ମୂଲ୍ୟ ୭୦ ହଜାର ଟଙ୍କା ଥିବାରୁ ଏବେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ରାହୁଲ ଆଗାମୀ ମେଘାଳୟ ବିଧାନସଭା ନିର୍ବାଚନ ନେଇ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଏକ ମ୍ୟୁଜିକ୍‌ କନ୍‌ସର୍ଟକୁ ଦାମୀ ବ୍ରାଣ୍ଡ୍‌ର ଜ୍ୟାକେଟ୍‌ ପିନ୍ଧି ଯାଇଥିଲେ।

ବିଜେପିର ମେଘାଳୟ ୟୁନିଟ ଏହାକୁ ସମାଲୋଚନା କରି ସୋସିଆଲ ମିଡିଆରେ ରାହୁଲଙ୍କ ଜ୍ୟାକେଟ୍‌ ଫଟୋ ସହ ଏକ ପୋଷ୍ଟ କରିଥିଲା। ମେଘାଳୟରେ ଗରିବଙ୍କ ରକ୍ତ ଶୋଷୁଥିବା ଦୁର୍ନୀତିଗ୍ରସ୍ତ ସରକାରଙ୍କ କଳା ଟଙ୍କାର ବନ୍ୟା ଛୁଟିଛି ଏବଂ ଏଠାରେ ସୁଟ୍‌ ବୁଟ୍‌ ସରକାର ଚାଲିଛି । ଆମ ଦୁଃଖ ଉପରେ ଆପଣ ଗୀତ ଗାଇବା ବଦଳରେ ମେଘାଳୟର ଅପରାଗ ସରକାରଙ୍କ ରିପୋର୍ଟ କାର୍ଡ ଦେଇପାରଥାନ୍ତେ ବୋଲି ଏହି ପୋଷ୍ଟ୍‍ରେ ଉଲ୍ଲେଖ କରାଯାଇଛି।

ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ଏଭଳି ସମାଲୋଚନାକୁ କଂଗ୍ରେସ ହାସ୍ୟାସ୍ପଦ ବୋଲି କହିଛି। କଂଗ୍ରେସ ନେତା ରେଣୁକା ଚୌଧୁରୀ କହିଛନ୍ତି ଯେ ରାହୁଲ ଯେଭଳି ଜ୍ୟାକେଟ୍‌ ପିନ୍ଧିଛନ୍ତି ତାହାକୁ ମୁଁ ୭୦୦ ଟଙ୍କାରେ ମଧ୍ୟ ଦେଖାଇ ଦେଇପାରିବି। ତେବେ ରାହୁଲ ପିନ୍ଧିଥିବା ଜ୍ୟାକେଟ ସଂପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିଛି। ବ୍ରିଟିଶ ଫେସନ୍‌ ବ୍ରାଣ୍ଡ ‘ବ୍ରୁବେରି’ର ଏହି ଜ୍ୟାକେଟ୍‌ର ଦାମ ୬୮ ହଜାର ୧୪୫ ଟଙ୍କା ବୋଲି ଜଣାପଡ଼ିଛି।

ଏବେ ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ରାହୁଲ ପୂର୍ବରୁ ନିର୍ବାଚନୀ ସଭାରେ ନିଜର ଫଟା କୁର୍ତ୍ତା ଦେଖାଇଥିବା ବେଳେ ଏବେ ୭୦ ହଜାର ଟଙ୍କିଆ ଜ୍ୟାକେଟ ପିନ୍ଧି କାହାକୁ ପରିହାସ କରୁଛନ୍ତି ବୋଲି ପ୍ରଶ୍ନ ହେଉଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ ଲକ୍ଷ ଟଙ୍କିଆ ସୁଟ୍‌ ଚର୍ଚ୍ଚାରେ ରହିଥିଲା।   ୨୦ ୧୫ ରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିଥିବା ଏକ ପୋଷାକକୁ ନେଇ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଥିଲା । ଏବେ ମେଘାଳୟ ବିଜେପି ଶାଖା ଏହାର ପ୍ରତୁ୍ୟତ୍ତର ସ୍ୱରୂପ ରାହୁଲଙ୍କୁ ସମାଲୋଚନା କରିଥିବା କୁହାଯାଉଛି  ।

ପଢନ୍ତୁ ;

ଆସନ୍ତୁ ଜାଣିବା ଅଦାରେ ଥିବା ବହୁ ଔଷଧୀୟ ଗୁଣ ବିଷୟରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More