News

୨ ଭାରତୀୟଙ୍କୁ ରମଣ ମାଗସେସେ ପୁରସ୍କାର

By ENO Beuro

July 27, 2018

ଅଗଷ୍ଟ ୩୧ରେ ବଟ୍‌ଓ୍ଵାନି ଓ ସୋନମ୍‌ଙ୍କୁ ଦିଆଯିବ ପୁରସ୍କାର

ଚଳିତ ବର୍ଷ ୬ ଜଣଙ୍କୁ ରମଣ ମାଗସେସେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ବି ସ୍ଥାନ ପାଇଛନ୍ତି। ସେମାନେ ହେଲେ- ଭାରତ ବତଓ୍ବାନି ଓ ସୋନମ ଓ୍ବାଙ୍ଗଚୁକ୍‌। ଏମାନଙ୍କ ସହ ୬ ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଶ୍ରୀ ଭଟଓ୍ବାନି ଭାରତରେ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବାରେ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଉଦାର ବ୍ୟକ୍ତିତ୍ୱ ଓ ଅଦମ୍ୟ ଚେଷ୍ଟା ଫଳରେ ଆଜି ତାଙ୍କୁ ମାଗ୍‌ସେସେ ସମ୍ମାନରେ ସମ୍ମାନୀତ କରାଯାଉଛି।

ସେହିପରି ୫୧ ବର୍ଷୀୟ ସୋନମ ଓ୍ବାଙ୍ଗଚୁକଙ୍କୁ ଶିକ୍ଷା, ସଂସ୍କୃତି, ପରିବେଶ ଓ ଗୋଷ୍ଠୀଗତ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ,ଏସିଆର ନୋବେଲ୍‌ ବୋଲି କୁହାଯାଉଥିବା ରମଣ ମାଗ୍‌ସେସେ ପୁରସ୍କାର ପ୍ରଥମେ ୧୯୫୭ରେ ଦିଆଯାଇଥିଲା। ମହାଦେଶର ସର୍ବୋଚ୍ଚ ସମ୍ମାନାସ୍ପଦ ପୁରସ୍କାର ଭାବେ ଏହା ସେହି ବ୍ୟକ୍ତିତ୍ୱମାନଙ୍କୁ ଦିଆଯାଏ, ଯେଉଁମାନେ ସମାଜର ବୃହତ୍ତର ସ୍ୱାର୍ଥକୁ ଆଖିରେ ରଖି ସର୍ବଦା କାର୍ଯ୍ୟ କରିଥାନ୍ତି। ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମଣ ମାଗ୍‌ସେସେଙ୍କ ବିରଳ ଅବଦାନକୁ ସମ୍ମାନ ଜଣାଇବା ଲାଗି ଏହି ସମ୍ମାନ ପ୍ରତିବର୍ଷ ଦିଆଯାଇଥାଏ।

ପଢନ୍ତୁ;ପଶ୍ଚିମବଙ୍ଗର ନାମ ବଦଳିବ