ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ଏବଂ ସରକାରଙ୍କ ମଧ୍ୟରେ ବଢ଼ୁଥିବା ବିବାଦ କାରଣରୁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଇସ୍ତଫା ଦେଇପାରନ୍ତି । ଆରବିଆଇ ଓ ସରକାରଙ୍କ ମଧ୍ୟରେ ଟଙ୍କା ଓ ବଣ୍ଡ୍ ବିକ୍ରୟ ନେଇ ମତାନ୍ତର ହୋଇଛି । ତେବେ ଏ ବାବଦରେ କୌଣସି ବିବୃତି ଦେବାକୁ ରିଜର୍ଭ ବ୍ୟାଙ୍କ୍ ଏବଂ ଅର୍ଥ ମନ୍ତ୍ରାଳୟ ମନା କରି ଦେଇଛନ୍ତି । ଜନସ୍ୱାର୍ଥ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ୍ର ଗଭର୍ଣ୍ଣରଙ୍କୁ ନିର୍ଦେଶ ଜାରି କରିବା ନିମନ୍ତେ ସରକାର କେବେ ବ୍ୟବହାର କରି ନଥିବା ଆରବିଆଇ ଆକ୍ଟରେ ଥିବା କ୍ଷମତା ବ୍ୟବହାର କରିଛନ୍ତି ବୋଲି ମଧ୍ୟ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲା।
ଏକ ରିପୋର୍ଟ ଅନୁସାରେ ସରକାର ଗତ କିଛି ସପ୍ତାହରେ ଲଗାତାର କିଛି ପ୍ରସଙ୍ଗକୁ ନେଇ ଚିଠି ଲେଖିଛନ୍ତି। ଅଣବ୍ୟାଙ୍କ ଆର୍ଥିକ ସଂସ୍ଥା, ଦୁର୍ବଳ ବ୍ୟାଙ୍କ ପାଇଁ ଆର୍ଥିକ ସହାୟତା ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର କମ୍ପାନୀଙ୍କୁ ଋଣ ପ୍ରଦାନ ଆଦି ପ୍ରସଙ୍ଗରେ ଏହି ଚିଠି ସବୁ ଲେଖି ଏସବୁ ପ୍ରସଙ୍ଗରେ ତାଙ୍କ ଉତ୍ତର ମଗାଯାଇଛି।
ଆରବିଆଇ ଆକ୍ଟର ଧାରା ୭ ଅନୁସାରେ ସରକାର ଏମିତି ନିର୍ଦ୍ଦେଶ ଦେବାର କ୍ଷମତା ରହିଥିଲେ ମଧ୍ୟ, ମୂର୍ବରୁ କେବେ ଏପରି ଘଟିନଥିଲା। ଏହି ଧାରା ଅନୁଯାୟୀ ସରକାର କିଛି ସମୟ ବ୍ୟବଧାନରେ ଜନସ୍ୱାର୍ଥ ସମ୍ବନ୍ଧୀୟ ନିର୍ଦ୍ଦେଶ ଦେଇପାରିବେ। ସ୍ୱାଧୀନ ଭାରତରେ ଏପରି କେବେ ମଧ୍ୟ କରାଯାଇନାହିଁ ବୋଲି ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଡଲାର ପ୍ରତି ଟଙ୍କାର ମୂଲ୍ୟ ମଧ୍ୟ ଏହା ଦ୍ୱାରା ହିଁ ପ୍ରଭାବିତ ହୋଇ ପୁଣି ଥରେ ଦୁର୍ବଳ ହେବାକୁ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ବୁଧବାର କାରବାର ଆରମ୍ଭ ପରେ ଟଙ୍କାର ମୂଲ୍ୟ ଏକ ନିର୍ଦ୍ଦିଷ୍ଟ ସମୟରେ ୭୩.୬୮ ଟଙ୍କାରୁ ୪୩ ପଇସା ଖସି ୭୪.୧୧ ଟଙ୍କାରେ ପହଞ୍ଚିଯାଇଥିଲା।
ପୂର୍ବରୁ ଆରବିଆଇ ଡେପୁଟି ଗଭର୍ଣ୍ଣର ରିଜର୍ଭ ବ୍ୟାଙ୍କର ସ୍ୱଧୀନତା ବାବଦରେ ପ୍ରଶ୍ନ ଉଠାଇବା ମଧ୍ୟ ସରକାର ଓ ଆରବିଆଇ ମଧ୍ୟରେ ତିକ୍ତ ସମ୍ପର୍କକୁ ପଦାରେ ପକାଇଥିଲା