ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟକିପର ବ୍ୟାଟର୍ ଋଷଭ ପନ୍ତଙ୍କ ଚିକିତ୍ସା ମୁମ୍ବାଇରେ ହେବ । ଏବେ ତାଙ୍କର ଚିକିତ୍ସା ଡେରାଡୁନରେ ଚାଲିଛି । କିନ୍ତୁ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ସ୍ତାନାନ୍ତର କରାଯାଇଛି । ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନର ନିର୍ଦ୍ଦେଶକ ଶ୍ୟାମ ଶର୍ମା ଏହି ସୂଚନା ଦେଇଛନ୍ତି । ପନ୍ତଙ୍କ ମୁଣ୍ଡର ଦୁଇଟି ସ୍ଥାନରେ ଶକ୍ତ ଆଘାତ ଲାଗିଛି । ତାଙ୍କର ଡାହାଣ ଗୋଡ଼ର ଲିଗାମେଂଟ ଫ୍ୟାକ୍ରଚର ହୋଇଥିବା ଡାହାଣ ରିଷ୍ଟ ସହ ଶରୀରର ଆଉ କିଛି ସ୍ଥାନରେ ମଧ୍ୟ ଗଭୀର ଆଘାତ ଲାଗିଛି । ଡିସେମ୍ବର ୩୦ ତାରିଖରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିବା ବେଳେ ପନ୍ତଙ୍କ କାର ଡିଭାଇଡରରେ ଧକ୍କା ହୋଇଥିଲା । ସେହି ସମୟରେ ହରିୟାଣା ରୋଡୱେଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ପନ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ଦୁର୍ଘଟଣା ପରେ ପନ୍ତଙ୍କ କାରରେ ନିଆଁ ଲାଗିଯାଇଥିଲା ଏବଂ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିସିସିଆଇ ଲଗାତର ଯୋଗାଯୋଗରେ ରହିଛି । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୬ରୁ ୮ ମାସ ସମୟ ଲାଗିବ ବୋଲି ସୂଚନା ମିଳିଛି ।