ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଗ୍ରାହକଙ୍କ ପାଇଁ ଖୁସି ଖବର । ଏବେ ଏସ୍ବିଆଇ ରେ ମିଳିବ ଏକ ନୂତନ ଜମାଖାତା ଖୋଲିବାର ସୌଭାଗ୍ୟ ଏବୋଂ ଏଥିପାଇଁ ଉପଭୋକ୍ତାଙ୍କୁ କୌଣସି ସର୍ବନିମ୍ନ ରାଶି ଜମାର ଆବଶ୍ୟକ ପଡ଼ିବ ନାହିଁ। ଏସ୍ବିଆଇ ନିଜ ୱେବସାଇଟ୍ରେ ଏହି ସୂଚନା ଦେଇଛି ।
ଏହି ଜମା ଖାତା ମୁଖ୍ୟତଃ ସମାଜର ଗରିବ ଶ୍ରେଣୀଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏପରି କରିବା ଦ୍ୱାରା ସେମାନେ ବିନା କୌଣସି ଚାପରେ ଟଙ୍କା ଜମା କରିପାରିବେ। ଏହି ବ୍ୟାଙ୍କ ଖାତାକୁ ସେହିମାନେ ହିଁ ଖୋଲି ପାରିବେ ଯେଉଁମାନଙ୍କ ପାଖରେ ସଠିକ୍ କେଓ୍ଵାଇସି ଦସ୍ତାବିଜ ରହିଥିବ।
ଅନ୍ୟ ଉପଭୋକ୍ତା ଏସ୍ବିଆଇରେ ଚାଲୁ ରହିଥିବା ଜମା ଖାତାକୁ ବି ବେସିକ୍ ଜମାଖାତାରେ ପରିବର୍ତ୍ତନ କରି ପାରିବେ। ଏଥିପାଇଁ ବ୍ୟାଙ୍କ ଶାଖା ପ୍ରବନ୍ଧକଙ୍କୁ ଏକ ଲିଖିତ ଆବେଦନ କରିବାକୁ ପଡ଼ିବ।
ବେସିକ୍ ଜମାଖାତା ବିଷୟରେ ତଥ୍ୟ
୧. ବେସିକ୍ ଜମା ଖାତାରେ କୌଣସି ନ୍ୟୁନତମ ରାଶିର ଆବଶ୍ୟକତା ନାହିଁ। ଏହି ଜମା ଖାତାରେ ଜମା କରିବାର ରାଶିରେ କୌଣସି ସୀମା ରଖାଯାଇ ନାହିଁ।
୨. ସାଧାରଣ ଜମା ଖାତାରେ ଉପଭୋକ୍ତା ଯେତିକି ସୁଧ ପାଇଥାଆନ୍ତି, ବେସିକ୍ ଜମା ଖାତାରେ ବି ସେତିକି ସୁଧ ମିଳିବ।
୩. ଏସ୍ବିଆଇ ନିଜ ୱେବସାଇଟ୍ରେ କହିଛି ଏହି ଜମା ଖାତା ଜରିଆରେ ମାସକୁ ଉପଭୋକ୍ତା ୪ଥର ଟଙ୍କା ଉଠାଇ ପାରିବେ। ଉପଭୋକ୍ତା ଟଙ୍କା ନେଣଦେଣ କରିବା ପାଇଁ ନିଜର ଜମାଖାତା ଥିବା ବ୍ୟାଙ୍କ ଏଟିଏମ୍ରୁ ହେଉ ଅବା ଅନ୍ୟ ବ୍ୟାଙ୍କ ତଥା ଆରଟିଜିଏସ/ଏନ୍ଇଏଫଟି/କ୍ଲିୟରିଂ/ବ୍ରାଞ୍ଚ କ୍ୟାସ ଉଇଥ୍ଡ୍ରୟାଲ୍/ ଟ୍ରାନ୍ସଫର/ ଇଣ୍ଟରନେଟ ଡେବିଟ ଓ ଇଏମ୍ଆଇ ବ୍ୟବହାର କରି ପାରିବେ। ଏହାପରେ ଗ୍ରାହକଙ୍କୁ ସେହି ମାସରେ ଆଉ ଡେବିଟ୍ ସୁବିଧା ମିଳିବ ନାହିଁ।
ବେସିକ୍ ଜମାଖାତା ସେବା କର
୧.ବେସିକ୍ ଜମାଖାତାଧାରୀଙ୍କୁ ଏଟିଏମ୍-କମ-ଡେବିଟ କାର୍ଡ ମାଗଣାରେ ମିଳିବ । ଏଥିପାଇଁ ବାର୍ଷିକ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।
୨. ଏନ୍ଇଏଫଟି/ଆରଟିଜିଜିଏସ୍ ଭଳି ବୈଦ୍ୟୁତିକ ନେଣନେଣ ଚାନେଲ ଜରିଆରେ ଟଙ୍କା ଜମା କଲେ ରସିଦ ଓ ଜମା ରାଶି ମାଗଣା ଅଟେ।
୩.କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା କୌଣସି ଚେକ୍ ଓ ସଂଗ୍ରହ ମାଗଣା ଅଟେ।
୪.ନିଷ୍କ୍ରିୟ ଖାତାକୁ ସକ୍ରିୟ କରିବାରେ କୌଣସି ଚାର୍ଜ ଲାଗିବ ନାହିଁ।
୫.ଆକାଉଣ୍ଟ ବନ୍ଦ କରିବା ପାଇଁ ବି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ବେସିକ୍ ଜମାଖାତାଧାରୀଙ୍କ ପାଇଁ ସର୍ତ୍ତ
ବେସିକ୍ ଜମାଖାତାଧାରୀ ଏସ୍ବିଆଇରେ ଦ୍ୱିତୀୟ ଜମା ଖାତା ଖୋଲି ପାରିବେ ନାହିଁ। ସେହିପରି ଯେଉଁମାନଙ୍କର ପୂର୍ବରୁ ଏସ୍ବିଆଇରେ ଜମା ଖାତା ଅଛି ସେମାନେ ଏହାକୁ ୩୦ ଦିନ ମଧ୍ୟରେ ବନ୍ଦ କରି ବେସିକ୍ ସେଭିଂ ବ୍ୟାଙ୍କ୍ ଖୋଲିପାରିବେ ।
ପଢନ୍ତୁ, ରାଜ୍ୟ ସରକାର ରସଗୋଲା ଜିଆଇ ପାଇଁ ୭ଦିନ ମଧ୍ୟରେ ଆବେଦନ କରିବେ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ