ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଦଣ୍ଡ ଘୋଷଣା । ବିଜେପିରୁ ବହିଷ୍କୃତ ବିଧାୟକ କୁଳଦୀପ ସେନଗାରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀର ତିସ୍ ହଜାରା କୋର୍ଟ । ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇବା ସହ ପୀଡିତାଙ୍କ ପରିବାରକୁ ସହାୟତା ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଜୁନ ୨୦୧୭ ରେ ୧୬ ବର୍ଷିୟା ବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିଲେ ବିଧାୟକ କୁଲଦୀପ ସେଙ୍ଗର । ପୀଡ଼ିତାଙ୍କ ବାପାଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ୨୦୧୮ ଏପ୍ରିଲ ୩ ତାରିଖରେ ଗିରଫ କରାଯାଇଥିଲା । ହାଜତରେ ତାଙ୍କର ମୃତ୍ୟୁ ପରେ ସେଙ୍ଗର, ତାଙ୍କ ଭାଇ ଓ ଅନ୍ୟ ୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । ସେଙ୍ଗର ଜେଲରେ ଥିବା ବେଳେ ଚଳିତବର୍ଷ ଜୁଲାଇ ୨୮ ତାରିଖରେ ପୀଡିତା କୋର୍ଟକୁ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରକ୍ । ଏଥିରେ ତାଙ୍କର ମାଉସୀ ଓ ଖୁଡ଼ିଙ୍କ ମୃତ୍ୟୁ ହୋଇଥିଲା । ଏଥି ସହିତ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ । ଏଥିରେ ସେଙ୍ଗରଙ୍କ ସଂପୃକ୍ତି ନେଇ ପୀଡ଼ିତାଙ୍କ ଅଭିଯୋଗ ପରେ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା ।