ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି କିଙ୍ଗ୍ ଖାନ୍ ଶାହରୁଖ୍ ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍ ସହ ଚାଟାର୍ଡ ଫ୍ଲାଇଟ୍ରେ ଓଡ଼ିଶାରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ସେ ଅଭ୍ୟାସ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମ୍ ଯିବେ।
ଅଭ୍ୟାସ ସରିବା ପରେ ଭ୍ୟାନିଟି ଭ୍ୟାନରେ ହିଁ ବିଶ୍ରାମ ନେବେ। ସେହିଠାରୁ ପ୍ରସ୍ତୁତ ହୋଇ ଯାଇ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। କାର୍ଯ୍ୟକ୍ରମ ପରେ ସେହି ଭ୍ୟାନିଟି ଭ୍ୟାନ୍ ଯୋଗେ ବିମାନ ବନ୍ଦରକୁ ଯାଇ ଚାଟାର୍ଡ ଫ୍ଲାଇଟରେ ଫେରିଯିବେ। ସେ ଓଡ଼ିଶାରେ କୌଣସି ହୋଟେଲରେ ରହିବେ ନାହିଁ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ,ଉଦ୍ଘାଟନ ପାଇଁ ଆଜି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି । ୨୮ ତାରିଖରୁ ଆରମ୍ଭ ହୋଇଯିବ ହକି ମହାକୁମ୍ଭ। ଭାଗ ନେଉଛନ୍ତି ୧୬ଟି ଦଳ (ଦେଶ)ର ୨୮୮ ଖେଳାଳି। ଏଥିପାଇଁ ସବୁ ଦଳ ଆସି ଭୁବନେଶ୍ୱରରେ ପହଂଚିଗଲେଣି। ଏଥିପାଇଁ କଳିଙ୍ଗ ହକି ଷ୍ଟାଡିୟମ୍ ଯେତିକି ପ୍ରସ୍ତୁତ ହୋଇଛି, ବଧୂ ବେଶରେ ସଜେଇ ହୋଇଥିବା ରାଜଧାନୀ ଭୁବନେଶ୍ବର ମଧ୍ୟ ସେତିକି ଝଲସୁଛି। ଚାରିଆଡ଼େ ଆନନ୍ଦ ଓ ଉତ୍ସାହ। କେବଳ ରାଜଧାନୀ ନୁହେଁ, ସାରା ଓଡ଼ିଶା ହକି ପ୍ରେମରେ ପାଗଳ।