ବହୁଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ହନିଟ୍ରାପ, ଠକେଇ ଓ ବେଆଇନ ଅର୍ଥ କାରବାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ଏବେ ଜେଲରେ ଥିବାବେଳେ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଗିରଫ କରାଯାଉ ନ ଥିବାରୁ ଅନ୍ୟ ଅଭିଯୁକ୍ତମାନେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାର ଶୁଣାଣି ସିବିଆଇ-୧ ସ୍ବତନ୍ତ୍ର କୋର୍ଟରେ ହୋଇଥିଲା। ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଜେଲ୍ରେ ରହି ଭିଡିଓ କନ୍ଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ଶ୍ରଦ୍ଧାଞ୍ଜଳି ଆସି ନ ଥିଲେ। ତେବେ ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ପାଇଁ ତାଙ୍କ ଓକିଲ ଅଧିକ ସମୟ ମାଗିଥିଲେ ମଧ୍ୟ କୋର୍ଟ ଅନୁମତି ଦେଇ ନ ଥିବା ଜଣାପଡିଛି। କୋର୍ଟରେ ତାରିଖ ପରେ ତାରିଖ ଗଡୁଥିଲେ ମଧ୍ୟ ଶ୍ରଦ୍ଧାଞ୍ଜଳି ହାଜର ହେଉ ନ ଥିବାରୁ କୋର୍ଟରୁମ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପବ୍ଲିକ ପ୍ରସିକ୍ୟୁଟର ପ୍ରଶ୍ନ ଉଠାଇଛନ୍ତି। ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ଅଶୋକ ଦାସ କହିଛନ୍ତି, ସେକ୍ସନ ୨୦୫ ନିୟମ ଅନୁଯାୟୀ ଶ୍ରଦ୍ଧାଞ୍ଜଳି ଦୂରରେ ରହୁଥିବାରୁ ପ୍ରାୟ ତାରିଖରେ ସେ କୋର୍ଟରେ ହାଜର ହେବା ସମ୍ଭବ ନୁହେଁ। ତେଣୁ ସେ ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖୁଛନ୍ତି ବୋଲି ଦାସ କହିଛନ୍ତି। ଅନ୍ୟପକ୍ଷରେ ଦୁଇ ସପ୍ତାହ ଭିତରେ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ମଙ୍ଗଳବାର ମଧ୍ୟ କୋର୍ଟରେ ଏ ନେଇ ଶୁଣାଣି ହେବ। ଏଥର ଯଦି ଶ୍ରଦ୍ଧାଞ୍ଜଳି ହାଜର ନ ହେବେ, ତାହା ହେଲେ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହେବା ନେଇ କୋର୍ଟ ବିଚାର କରିପାରେ ବୋଲି ସୂଚନା ମିଳିଛି।