News

ଟୁଟିକୋରିନରୁ ପ୍ରଥମ କଣ୍ଟେନର ଜାହାଜର ଶୁଭାରମ୍ଭ କଲେ ନୀତୀନ ଗଡକରୀ

nitin

କେନ୍ଦ୍ର ଜାହାଜ ଚଳାଚଳ, ସଡ଼କ ପରିବହନ, ରାଜମାର୍ଗ, ଜଳସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତୀନ ଗଡକରୀ ବୁଧବାର ଟୁଟିକୋରିନ ବନ୍ଦର (ଭିଓସି ବନ୍ଦର)ରୁ କଣ୍ଟେନର ଜାହାଜ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହାପରେ ସେ କହିଲେ ଯେ, ଏହା ଦକ୍ଷିଣ ଭାରତରେ କଣ୍ଟେନର ଟ୍ରାଫିକ (ଚଳାଚଳ) କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ଅବସରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଶ୍ରୀ ଏଡ଼ାପାଡି କେ. ପାଲାନିସ୍ୱାମୀ ଉପସ୍ଥିତ ଥିଲେ । ରାଜ୍ୟ ଅର୍ଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ପି. ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ରସୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଆଜି ସୁଦ୍ଧା ଟୁଟିକୋରିନରୁ ଫିଡର ଜାହାଜରେ କଣ୍ଟେନର କଲମ୍ବୋ ଯିବା ପରେ ସେଠାରୁ ବଡ଼ ଜାହାଜରେ ମାଲେସିଆ, ସିଙ୍ଗାପୁର, ଚୀନ ଏବଂ ହଂକଂ ଯାଉଥିଲା । ଏବେ ଟୁଟିକୋରିନରୁ ସିଧାସଳଖ କଣ୍ଟେନର ଜାହାଜ ଚଳାଚଳ ଯୋଗୁ ପରିବହନ ଖର୍ଚ୍ଚ ହ୍ରାସ ପାଇପାରିବ । ପ୍ରତି କଣ୍ଟେନରେ ପ୍ରାୟ 50 ଆମେରିକୀୟ ଡଲାର ସଞ୍ଚୟ ହୋଇପାରିବ । ପରିବହନ ଖର୍ଚ୍ଚ ଏବଂ ସମୟ ହ୍ରାସ ପାଇବାରୁ ଏହା ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ସହାୟକ ହେବ ।

ଟୁଟିକୋରିନ ବନ୍ଦର ଇଷ୍ଟ-ୱେଷ୍ଟ ବାଣିଜ୍ୟ ରୁଟର ନିକଟତର ହୋଇଥିବାରୁ ଏଠାକୁ ସିଧାସଳଖ ବହୁ ଜାହାଜ ଚଳାଚଳ କରିବାକୁ ଚାହିଁବେ । ତେଣୁ ଏହା ଦକ୍ଷିଣ ଭାରତରେ ଏକ ଟ୍ରାନସିପମେଣ୍ଟ ହବରେ ପରିଣତ ହେବ ।

nitin

ସାଗରମାଳା ଯୋଜନା ଅଧୀନରେ ବିଗତ ଚାରି ବର୍ଷ ମଧ୍ୟରେ ପରିବହନ ଖର୍ଚ୍ଚ ଏବଂ ଆମଦାନୀ/ରପ୍ତାନି ଖର୍ଚ୍ଚ ହ୍ରାସ କରିବା ପାଇଁ ଟୁଟିକୋରିନ ବନ୍ଦରରେ ମୌଳିକ ଭିତ୍ତିଭୂମିର ବିକାଶ ସକାଶେ 1500 କୋଟି ଟଙ୍କା ନିବେଶ କରାଯାଇଛି ।

ଟୁଟିକୋରିନ ବନ୍ଦରକୁ ଏକ ମୁଖ୍ୟ ବନ୍ଦରରେ ପରିଣତ କରିବା ପାଇଁ 2000 କୋଟି ଟଙ୍କାରେ ଏହାର ବିକାଶ କରାଯାଉଛି ଏବଂ ବନ୍ଦରକୁ ଗଭୀର କରିବା ସକାଶେ 500 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ଯାହା ଫଳରେକି 16 ମିଟର ଡ୍ରାଫ୍ଟର ଜାହାଜ ଏଠାରେ ପ୍ରବେଶ କରିପାରିବ ବୋଲି ମନ୍ତ୍ରୀ କହିଲେ ।

‘ଏକ ବୃହତ ଔଦ୍ୟୋଗିକ ହବରେ ପରିଣତ ହେବା ସକାଶେ ଟୁଟିକୋରିନର ବିପୁଳ ସମ୍ଭାବନା ରହିଛି । ଜେଏନପିଟି ଭଳି ବନ୍ଦର ଅଞ୍ଚଳରେ 1 ହଜାର ଏକରର ଶିଳ୍ପାଞ୍ଚଳ ପ୍ରତିଷ୍ଠା ଯୋଜନା କରାଯାଉଛି । ଏଠାରେ ବାଣିଜ୍ୟ ସହଜ ହେଉଥିବାରୁ ଏହାକୁ ବ୍ୟବସାୟ ଅନୁକୂଳ ଅଞ୍ଚଳ ଭାବେ ଦେଖାଯାଉଛି । ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ ଅନ୍ୟାନ୍ୟ ବନ୍ଦର ତୁଳନାରେ ଏଠାରେ ବ୍ୟବସାୟ କମ୍ ବ୍ୟୟ ସାପେକ୍ଷ ବୋଲି ସେ କହିଥିଲେ ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଆଜି ଆରମ୍ଭ ହୋଇଥିବା ଐତିହାସିକ ସେବା ଯୋଗୁ ତାମିଲନାଡ଼ୁରୁ ରପ୍ତାନି ବୃଦ୍ଧି ପାଇପାରିବ । ବନ୍ଦର ଦ୍ୱାରା ଆରମ୍ଭ କରାଯାଇଥିବା ପଦକ୍ଷେପ ଯୋଗୁ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହୋଇପାରିବ ।

ପଢନ୍ତୁ; ପ୍ରତିଦିନ ସକାଳୁ ‘ଓମ୍’ ଉଚ୍ଚାରଣ କଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

Related posts

ପାଇଲଟ ଅଭିନନ୍ଦନଙ୍କ ବାପା କହିଲେ ମୋ ପୁଅ ହିଁ ପ୍ରକୃତ ବୀର

Ratnamani Moharana

Aadhaar Number Is Mandatory For Getting Death Certificates From 1st October

ENO Beuro

କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ,ଅଲଗା କଲେ ଆତ୍ମହତ୍ୟା କରିବାକୁ ଦେଲେ ଧମକ

ENO Beuro

Leave a Comment