ହାଇଡ଼୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମ୍ୟାଁମାରର ନିର୍ମାଣ, ବିଜୁଳି ଓ ଶକ୍ତିମନ୍ତ୍ରୀ ଏଚ.ଇ.ୟୁ ୱିନ ଖାଇଙ୍ଗଙ୍କ ସହ ଏକ ବୈଠକରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଉଭୟ ମନ୍ତ୍ରୀ ହାଇଡ଼୍ରୋକାର୍ବନ ସେକ୍ଟରରେ ଉଭୟ ରାଷ୍ଟ୍ର କିଭଳି ଦ୍ୱିପାକ୍ଷିକ ସଂପର୍କ ସୁଦୃଢ଼ କରି କାର୍ଯ୍ୟ କରିପାରିବେ ସେହି ପ୍ରସଙ୍ଗରେ କଥାବାର୍ତ୍ତା କରିଥିଲେ।
ଅପଷ୍ଟ୍ରିମ୍ ସେକ୍ଟରରେ ମ୍ୟାଁମାରରେ ଭାରତୀୟ କମ୍ପାନୀମାନେ କିପରି ପୁଞ୍ଜି ନିବେଶ କରିପାରିବେ ତାହା ଉପରେ ସେମାନେ ଆଲୋଚନା କରିଥିଲେ । ଏବେ ମ୍ୟାଁମାରର ବାଷ୍ପ ଉତ୍ପାଦନ ବ୍ଲକମାନଙ୍କରେ ଓଏନଜିସି ବିଦେଶ ଲିମିଟେଡ଼ ଏବଂ ଗେଲ୍ ପୁଞ୍ଜି ନିବେଶ କରିଛନ୍ତି । ଓଭିଏଲର ମ୍ୟାଁମାରର ଅନୁସନ୍ଧାନ ବ୍ଲକମାନଙ୍କରେ ମଧ୍ୟ ନିବେଶ ରହିଛି । ଭାରତୀୟ କମ୍ପାନୀ ଯଥା ଆଇଓସିଏଲ, ଏନଆରଏଲ ଏବଂ ଏଚପିସିଏଲ ମ୍ୟାଁମାରକୁ ଅଧୁନା ପେଟ୍ରୋଲିୟମଜାତ ବିଭିନ୍ନ ଉତ୍ପାଦ, ଲୁବ୍ରିକାଣ୍ଟସ୍ ଏବଂ ପାରାଫିନ୍ ୱାକ୍ସ ରପ୍ତାନୀ କରୁଛନ୍ତି । ଦୁଇ ଦେଶ ମଧ୍ୟରେ ହାଇଡ଼୍ରୋକାର୍ବନ କ୍ଷେତ୍ରରେ ସହଯୋଗ ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି । ସେଦେଶର ଅପଷ୍ଟ୍ରିମ୍ ଏବଂ ମିଡ଼ଷ୍ଟ୍ରିମ୍ ସେକ୍ଟରରେ ଭାରତୀୟ ରାଷ୍ଟ୍ରାୟତ କମ୍ପାନୀମାନେ 1 ବିଲିୟନ୍ ଡ଼ଲାରରୁ ଊର୍ଦ୍ଧ୍ଵ ପୁଞ୍ଜି ନିବେଶ କରିଛନ୍ତି।
ଆଲୋଚନା କାଳରେ ମ୍ୟାଁମାରର ମିଡ଼ଷ୍ଟ୍ରିମ୍ ଏବଂ ଡ଼ାଉନଷ୍ଟ୍ରିମ୍ ସେକ୍ଟରରେ କାର୍ଯ୍ୟ କରିବାକୁ ଭାରତ ଆଗ୍ରହୀ ବୋଲି ଶ୍ରୀ ପ୍ରଧାନ ସୂଚାଇଥିଲେ । ସେଥି ମଧ୍ୟରେ ସେ ଦେଶରେ ବିଶୋଧନାଗାର ପ୍ରତିଷ୍ଠା, ଇନ୍ଧନ ଭଣ୍ଡାରକରଣ, ପେଟ୍ରୋଲିୟମଜାତ ପଦାର୍ଥର ବିତରଣ ଓ ବିକ୍ରୟ ସାମିଲ । ସେହିଭଳି ହାଇଡ଼୍ରୋକାର୍ବନ କ୍ଷେତ୍ରରେ ସେ ଦେଶର ଅଧିକାରୀମାନଙ୍କୁ ତାଲିମ ପ୍ରଦାନ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ସକାଶେ ଭାରତ ଆଗ୍ରହୀ ବୋଲି ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ।
ମ୍ୟାଁମାର ମନ୍ତ୍ରୀଙ୍କର ଏହା ଦ୍ୱିତୀୟ ଭାରତ ଗସ୍ତ । ଗତଥର ତାଙ୍କର ଭାରତ ଗସ୍ତବେଳେ ସେ ଆଇଓସିଏଲର ପାନିପତ ବିଶୋଧନାଗାର ପରିଦର୍ଶନ କରିଥିଲେ । ଶ୍ରୀ ପ୍ରଧାନ ସୂଚାଇଥିଲେ ଯେ ମ୍ୟାଁମାର ଭାରତର “ଆକ୍ଟ ଇଷ୍ଟ ନୀତି”ର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏବଂ ଆସିଆନ୍ ରାଷ୍ଟ୍ରମାନଙ୍କ ସହ ବନ୍ଧୁତା ରକ୍ଷା କ୍ଷେତ୍ରରେ ଏହା ଏକ ସେତୁ ଭଳି କାର୍ଯ୍ୟ କରିଥାଏ ।
ଉଭୟ ମନ୍ତ୍ରୀ ସେମାନଙ୍କର ଏହି ଆଲୋଚନା ବେଳେ ହାଇଡ଼୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମ୍ପ୍ରତି ମ୍ୟାଁମାରର ଶକ୍ତିମନ୍ତ୍ରୀ ଶ୍ରୀ ଖାଇଙ୍ଗ ଆନ୍ତର୍ଜାତିକ ସୌର ସଂଗଠନ (ISA)ର ପ୍ରଥମ ଅଧିବେଶନରେ ଯୋଗଦେବା ଲାଗି ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି।