ଶ୍ରୀଗୁଣ୍ଡିଚା ମନ୍ଦିରର ମହାତ୍ମ ଅନେକ। ଏହା ମହାପ୍ରଭୁଙ୍କ ଜନ୍ମବେଦି, ବାଲ୍ୟକାଳର ଲୀଳାଭୂମି। ଏଣୁ ପୂର୍ବରୁ ଦୈନିକ ବହୁ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ସହ ଆଡ଼ପ ମଣ୍ଡପକୁ ସ୍ପର୍ଶ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରୁଥିଲେ। କିନ୍ତୁ କୋଭିଡ୍ ଆଳରେ ୩ ବର୍ଷ ହେବ ଏଠାରେ ତାଲା ଝୁଲୁଛି। କେବଳ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ୯ ଦିନ ଛାଡ଼ିଦେଲେ, ବାକି ବର୍ଷତମାମ ତାଲା ପଡ଼ୁଛି। ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି। କେବଳ ରଥଯାତ୍ରାର ୯ ଦିନ ଛାଡ଼ିଦେଲେ, ୨୦୨୦ ମସିହା ପରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ତାଲା ଝୁଲୁଛି। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲା ସମୟରେ ଭକ୍ତମାନେ ମନ୍ଦିର ବୁଲିବା ସହ ଆପଡ଼ପଣ୍ଡମ ଦର୍ଶନ ଓ ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି।
ସୂଚନାନୁସାରେ, ହୁ ବାଦବିବାଦ ଭିତରେ ଶେଷରେ ଗତବର୍ଷ ଅଗଷ୍ଟ ୬ ତାରିଖ ପରିଚାଳନା କମିଟି ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହେଲା। ସପ୍ତାହେ ଭିତରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ନିଷ୍ପତ୍ତି ହୋଇଥିଲା କି ମାଗଣାରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିପାରିବେ। ଭକ୍ତମାନେ ଆଡ଼ପମଣ୍ଡପ ପାଖକୁ ଯାଇପାରିବେନି କି ସ୍ପର୍ଶ କରିପାରିବେନି। ରୋଷଘରକୁ ବି ପ୍ରବେଶ କରିପାରିବେନି। ଏଥିପାଇଁ ଆଡ଼ପମଣ୍ଡପ ଚାରିପାର୍ଶ୍ବରୁ ବାରିକେଡିଂ କରାଯିବ। ରୋଷଘର ପାଖରେ ବି ବାରିକେଡିଂ କରାଯିବ। ଭକ୍ତଙ୍କୁ ଶୋଷଣ ଉପରେ ବି କଡ଼ା ନଜର ରହିବ। ଭକ୍ତଙ୍କୁ ଶୋଷଣ ସମ୍ପର୍କରେ ଅଭିଯୋଗ ପାଇବା ପରେ ଶ୍ରୀମନ୍ଦିର ଉନ୍ନୟନ ବିଭାଗ ଓଏସ୍ଡି ଅଜୟ କୁମାର ଜେନା ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି। କିନ୍ତୁ ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ, ସେ ଉପରେ କିଛି ମୁହଁ ଖୋଲିନାହାଁନ୍ତି।
ଶ୍ରୀମନ୍ଦିରରେ ପୁଣି ବିକ୍ରି ହେଲାଣି ଟଙ୍କ ତୋରାଣି
ଶ୍ରୀମନ୍ଦିରରେ ୭ ବର୍ଷ ତଳୁ ଟଙ୍କ ତୋରାଣି ବିକ୍ରି ଉପରେ କଟକଣା ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ବି ଏ ଉପରେ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁମାନେ ବିକ୍ରି କଟକଣାକୁ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ତଥାପି ଅମାନିଆ ସେବକ ଓ ଅଣସେବକମାନେ ଏବେ ଶ୍ରୀମନ୍ଦିର ଆନନ୍ଦବଜାରରେ ପୁଣି ଟଙ୍କ ତୋରାଣି ବିକ୍ରି ଆରମ୍ଭ କରି ଦେଇଛନ୍ତି। ଭକ୍ତଙ୍କଠାରୁ ବି ଏ ବାବଦକୁ ଟଙ୍କା ଆଦାୟ ହେଉଛି। ତଥାପି ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନର ନଜର ନ ପଡ଼ିବା ଆଶ୍ଚର୍ଯ୍ୟଜନକ ବୋଲି ଭକ୍ତ ଓ ସେବାୟତ ମତ ଦେଇଛନ୍ତି। ଏହା ପଛରେ କିଛି ଅଧିକାରୀଙ୍କ ପ୍ରଛନ୍ନ ହାତ ରହିଥିବାରୁ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଉଛି ବୋଲି ମତ ଦେଇଛନ୍ତି। ସେପଟେ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ହେଉଥିବା ଓ ମହାପ୍ରଭୁଙ୍କୁ ଲାଗି ହେଉଥିବା ମହାପ୍ରସାଦ ଓ ଅନ୍ୟାନ୍ୟ ବ୍ୟଞ୍ଜନ ବାଦ୍ ଅନ୍ୟ କିଛି ଶ୍ରୀମନ୍ଦିର ଆନନ୍ଦବଜାରରେ ବିକ୍ରି ହୋଇପାରିବନି ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ତଥାପି ରୋଷଘରେ ପ୍ରସ୍ତୁତ ହେଉନଥିବା ରାବିଡ଼ି, ଖିରି ଆଦି ଆନନ୍ଦବଜାରରେ ବିକ୍ର ହେଉଛି। ପରିଚାଳନା କମିଟି ବୈଠକରେ ଘନ ଘନ ଏ ଉପରେ ଆଲୋଚନା ହେଉଥିଲେ ବି ଫଳଶୂନ୍ ରହିଛି।