February 16, 2019

ତାଜମହଲ୍‌କୁ ସୁରକ୍ଷା ଏବଂ ସଂରକ୍ଷଣ ଦେବାରେ ଅବହେଳା!

ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟର ପ୍ରଶ୍ନ

ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ବିଶ୍ୱପ୍ରସିଦ୍ଧ ତାଜମହଲର ସୁରକ୍ଷାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉନାହାନ୍ତି। ଶ୍ୱେତ ମାର୍ବଲରେ ନିର୍ମିତ ଏହି ସ୍ଥାପତ୍ୟର ସୁରକ୍ଷା ପାଇଁ ଭାରତର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ଉପଯୁକ୍ତ ପଦକ୍ଷେପ ନେବାରେ ବିଫଳ ହୋଇଛି। ଏଥିପାଇଁ ସୁପ୍ରିମକୋର୍ଟ ବୁଧବାର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଏସ୍‌ଆଇକୁ  ପ୍ରଶ୍ନ କରିଛନ୍ତି। କୀଟଙ୍କ ସଂକ୍ରମଣରୁ ତାଜମହଲକୁ ରକ୍ଷାକରିବା ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ଏଏସ୍‌ଆଇ ଅଧିକାରୀଙ୍କ ସମେତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ଶୁଣାଣି ସମୟରେ ଏଏସ୍‌ଆଇ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ତାଜମହଲ୍‌ ଧୀରେ ଧୀରେ ମାଟିଆ ଏବଂ ସବୁଜ ପଡ଼ିବାର କାରଣ ହେଉଛି ମଇଳା ମୋଜା ଏବଂ ଶିଉଳି। ଶିଉଳି ସବୁଠାରୁ ବଡ଼ ସମସ୍ୟା ବୋଲି ଆଜି କର୍ତ୍ତୃପକ୍ଷ ଖଣ୍ଡପୀଠଙ୍କୁ କହିଥିଲେ। କିନ୍ତୁ ଶିଉଳି କେମିତି ତାଜମହଲର ଉପର ଅଂଶରେ ପହଞ୍ଚିଲା ବୋଲି ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହାର ଉତ୍ତରରେ ଏଏସଆଇ କହିଥିଲେ ଶିଉଳି ପବନରେ ଉଡ଼ି ସେଠାରେ ପହଞ୍ଚୁଛି। ପୁଣିଥରେ କୋର୍ଟ ପଚାରିଥିଲେ ଶିଉଳି କ’ଣ ଉଡ଼ିପାରେ। ଏହାର ସଠିକ୍‌ ଉତ୍ତର ଏଏସ୍‌ଆଇ କର୍ତ୍ତୃପକ୍ଷ ଦେଇପାରିନଥିଲେ।

ସ୍ତ୍ରୀ ମମତାଜ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୋଗଲ ସମ୍ରାଟ ଶାହଜାହାନଙ୍କ ଦ୍ୱାରା ୧୬୩୧ରେ ନିର୍ମିତ ଏହି ସମାଧିପୀଠକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦେଇଛି। ତାଜମହଲ ତଥା ଆଗ୍ରା, ଫିରୋଜାବାଦ, ମଥୁରା, ହଥ୍‌ରାସ୍‌, ଏଟା ଏବଂ ଭରତପୁର ଜିଲାର ୧୦,୪୦୦ ବର୍ଗ କି.ମି. ଅଞ୍ଚଳରେ ଅବସ୍ଥିତ ତାଜ୍‌ ଟ୍ରାପେଜିୟମ୍‌ ଜୋନ୍‌ର ପରିବେଶ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଚିନ୍ତିତ। ମାର୍ଚ୍ଚରେ ସର୍ବୋଚ୍ଚ ଅଦାଲତ ଏସଂକ୍ରାନ୍ତରେ ଏକ ଚିଠା ଦସ୍ତାବିଜ ଦାଖଲ କରିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ ଶୀର୍ଷ ଅଦାଲତ ଏହି ଅଞ୍ଚଳର ବିକାଶ ଉପରେ ଅନୁଧ୍ୟାନ କରୁଛନ୍ତି।

ପଢନ୍ତୁ; ଓ୍ଵାଲମାର୍ଟ ହାତରେ ଫ୍ଲିପ୍‌କାର୍ଟ: ୭୭% ଅଂଶଧନକୁ ୧.୦୭ ଲକ୍ଷ କୋଟିରେ କିଣିଲା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More