କରୋନା ଭୂତାଣୁର ଭୟାବହତା ଦିନକୁ ଦିନ ବଢ଼ି ଚାଲିଥିଲା ବେଳେ ସାରା ବିଶ୍ବରେ ହେବାକୁ ଥିବା କ୍ରିକେଟ୍ ପ୍ରତିଯୋଗିତା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି। ସମସ୍ତ ଘରୋଇ କ୍ରିକେଟ୍ ପ୍ରତିଯୋଗିତାକୁ ବିସିସିଆଇ ଶନିବାର ବାତିଲ କରିଦେଇଛି। ପୂର୍ବରୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍କୁ ବିସିସିଆଇ ସ୍ଥଗିତ କରି ସାରିଛି। କରୋନା କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଇପିଏଲର ୧୩ଶ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରତି ଟିମର ମାଲିକଙ୍କ ପ୍ରସ୍ତାବକ୍ରମେ ଏହି ଟି-୨୦ ଲିଗକୁ କିଛି ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।
ତେବେ କରୋନାକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦେଶ ପରେ ଏପ୍ରିଲ ୧୫ ତାରିଖ ପୂର୍ବରୁ ଏହାକୁ ଆୟୋଜନ କରିହେବନି ବୋଲି ବିସିସିଆଇ ଶୁକ୍ରବାର ଘୋଷଣା କରିଥିଲା। ତା’ ସହ ଶନିବାର ଲିଗ୍ର ୮ଟି ଯାକ ଫ୍ରାଞ୍ଚାଇଜ୍ର ମାଲିକ, ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟସର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ଡାକିଥିଲା। ବୈଠକରେ ଲିଗ୍ ଆୟୋଜନର ଦିନ ଓ ତାରିଖକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ତେବେ ନୂଆ ସୂଚୀ ନେଇ କୌଣସି ନିଷ୍ପତ୍ତି ହୋଇ ପାରିନଥିଲା। ବରଂ ପରିସ୍ଥିତି ଓ ପରିବେଶ ଉପରେ ନଜର ରଖି, ନୂଆ ସୂଚୀ ପ୍ରସ୍ତୁତ କରିବା ପୂର୍ବରୁ ଆଉ କିଛି ଦିନ ଅପେକ୍ଷା କରିବାକୁ ସହମତି ପ୍ରକାଶ ପାଇଥିଲା।