POLITICALS

କର୍ଣ୍ଣାଟକରେ ଆଜି ମତଦାନ!

By Krishna Kumar Manoj

May 12, 2018

କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ଆରମ୍ଭ

କର୍ଣ୍ଣାଟକ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍‌ରେ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଲାଇନ ଲାଗିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ। ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୨୨୨ଟି ବିଧାନସଭା ଆସନ ପାଇଁ ୫୬ ହଜାର ୬୯୬ଟି ବୁଥରେ ଇଭିଏମ୍ ଜରିଆରେ ମତଦାନ ଗ୍ରହଣ କରାଯାଉଛି। ପ୍ରାୟ ୫ କୋଟି ଭୋଟର ଏହି ନିର୍ବାଚନରେ ମତଦାନ କରିବେ ବୋଲି ଆଶା କରାଯାଉଛି।

ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍‌ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ ଆସନରେ ମତଦାନକୁ ଘୁଞ୍ଚାଇ ଦିଆଯାଇଛି।

ଏଥର କର୍ଣ୍ଣାଟକରେ ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଗାଦିଚ୍ୟୁତ କରିବା ଲାଗି ପୁରା ଦମ୍ ଲଗାଇଛି ବିଜେପି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ମାତ୍ର କିଛି ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସଫଳ କଂଗ୍ରେସ ଲାଗି କର୍ଣ୍ଣାଟକ ବିଜୟ ମହୋଷଧୀ ସାବ୍ୟସ୍ତ ହୋଇପାରେ। ସେପଟେ ଦକ୍ଷିଣ ଭାରତରେ ପୁଣି ସ୍ଥିତି ଜାହିର କରିବା ଲାଗି ବିଜେପି ପାଇଁ ଏହା ଆଉ ଏକ ସୁଯୋଗ। କର୍ଣ୍ଣାଟକ ଜିତି ମୋଦିଙ୍କ ଜନପ୍ରିୟତାକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ରହିଛି ବିଜେପି । କଂଗ୍ରେସ- ବିଜେପି ଲଢେଇ ମଧ୍ୟରେ ଆଞ୍ଚଳିକ ପାର୍ଟି ଦେବେଗୌଡ଼ାଙ୍କ ଜେଡିଏସ୍‌କୁ ଉପେକ୍ଷା କରିହେବ ନାହିଁ। କିଙ୍ଗ୍‌ ମେକର ସିଟ୍‌ରେ ଜେଡିଏସ୍ ରହିବ ବୋଲି ପୂର୍ବରୁ ହୋଇଥିବା ଜନମତ ସର୍ଭେରେ ଆକଳନ କରାଯାଇଛି। ଆସନ୍ତା ୧୫ ତାରିଖରେ ଭୋଟ୍ ଗଣତି ହେବ।

ପଢନ୍ତୁ; ଜାଣନ୍ତୁ କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ !