ଦୁଇଟି ତରୁଣ ଅଣ୍ଡିରା ବାଘ ଆପଣାଛାଏଁ ଯଥାକ୍ରମେ ୧, ୧୬୦ କିଲୋମିଟର୍ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କରିଛନ୍ତି। ଦେଶରେ ରଖାଯାଇଥିବା ହିସାବ ଅନୁସାରେ ଏଯାବତ୍ କୌଣସି ବାଘ ଏତେ ବାଟ ଚାଲିଥିବାର ଦୃଷ୍ଟାନ୍ତ ନାହିଁ।
୨୦୧୯ ମସିହା ଫେବ୍ରୁଆରି ୨୭ ତାରିଖ ଦିନ ରେଡିଓ କଲାର୍ ବନ୍ଧାଯାଇଥିବା ‘ସି-ଓ୍ଵାନ୍’ ନାମକ ଗୋଟାଏ ବାଘ ୨୦୧୯ ମସିହା ଜୁନ୍ ୨୧ ତାରିଖରେ ମହାରାଷ୍ଟ୍ରର ଯବତମଲ୍ ଅନ୍ତର୍ଗତ ପନ୍ଧାରକାଓ୍ଵଦାସ୍ଥିତ ତିପେଶ୍ୱର ବଣ୍ୟପ୍ରାଣୀ ଅଭୟାରଣ୍ୟରୁ ନୂଆ ବାସସ୍ଥଳୀ ସନ୍ଧାନରେ ବାହାରିଯାଇଥିଲା। ମଣିଷ ଚଳପ୍ରଚଳ କରୁଥିବା ଅଞ୍ଚଳ ଦେଇ ଲୁଚିଛପି ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ଛଅଟି ଜିଲ୍ଲା ଦେଇ ସେ ଏଯାବତ୍ ୧, ୧୬୦ କିଲୋମିଟର୍ ଅତିକ୍ରମ କରିସାରିଲାଣି।

ଦ୍ୱୀତିୟ ବାଘଟି ହେଉଛି ‘କେ-ସେଭେନ୍’। ତେଲେଙ୍ଗାନାର କାଗଜନଗରରେ ବାସ କରୁଥିବା ‘ଫାଲ୍ଗୁନ’ ନାମ୍ନା ଗୋଟାଏ ବାଘୁଣୀର ପୁଅ ସେ। ତାକୁ ପ୍ରଥମେ ୨୦୧୯ ମସିହା ସେପ୍ଟେମ୍ବର ୧୧ ତାରିଖ ଦିନ ମହାରାଷ୍ଟ୍ର ଅନ୍ତର୍ଗତ ପ୍ରାଣହିତ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଚିହ୍ନଟ କରାଯାଇଥିଲା। ବନ୍ୟ ଅଧିକାରୀମାନଙ୍କର ଆଶା ଥିଲା ବର୍ଷାଋତୁ ପରେ ସେ ଫେରିଆସିବ, କିନ୍ତୁ ଅକ୍ଟୋବର ୧୯ ତାରିଖ ଦିନ ଦେଖାଗଲା ସେ ମହାରାଷ୍ଟ୍ରର ଗଡ଼ଚିରୋଲି ଅଞ୍ଚଳର ଚାମୋର୍ଶିସ୍ଥିତ ଆଲ୍ଲପାଲ୍ଲୀ ବନ୍ୟଖଣ୍ଡରେ ଅଛି।
ପ୍ରାଣଶକ୍ତି ଖୁବ୍ ଟାଣୁଆ ବୋଲି ଦୁଇ ବାଘ ପ୍ରମାଣ କରିଛନ୍ତି। କେବଳ ଲୁଚିଛପି ବୁଲିବା ନୁହେଁ, ବନ୍ୟପ୍ରାଣୀଙ୍କ ଦାଉରୁ ଫସଲ ରକ୍ଷା କରିବାକୁ ଚାଷୀମାନେ ବସାଉଥିବା ବିଜୁଳି ତାରକୁ ଏଡ଼ାଇ ଯିବାରେ ବି ଏମାନେ ଧୁରନ୍ଧର ବୋଲି ଜଣାଇ ଦେଇଛନ୍ତି।
ପଢନ୍ତୁ: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ନିକଟରେ ଜମିବ ଲୋକଙ୍କ ଭିଡ