ମାର୍କେଟ ଆସୋସିଏଶନ୍ ଏବଂ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିବାରୁ ଶୁକ୍ରବାର ମଧ୍ୟ ଦିନ ତମାମ ୟୁନିଟ୍-୧ ହାଟ ବନ୍ଦ ରହିଥିଲା। ତେବେ ଏନେଇ ଆସୋସିଏଶନ୍ ପକ୍ଷରୁ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରାଯାଇଥିଲା। ଶତାଧିକ ବ୍ୟବସାୟୀ ବିଏମ୍ସି ମୁଖ୍ୟାଳୟକୁ ଯାଇଥିଲେ। ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ କମିଶନର ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମାଗିଥିଲେ। ତେଣୁ ସେ ପର୍ଯ୍ୟନ୍ତ ହାଟକୁ ବନ୍ଦ ରଖିବା ନେଇ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ମଧ୍ୟରେ କମିଶନର ଓ ତାଙ୍କ ଟିମ୍ ମାର୍କେଟ ଆସି ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ଦିଆଯାଇଛି। ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ଦ୍ୱାରା ଜବରଦଖଲ, ପାର୍କିଂ ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି। ଏସବୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ହାଟ ବନ୍ଦ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି।