Loading...

ଆସିଲାଣି ପର୍ଯ୍ୟଟନ ଋତୁ, ଜମିଲାଣି ବଣଭୋଜି

ଆସିଲାଣି ପର୍ଯ୍ୟଟନ ଋତୁ, ଜମିଲାଣି ବଣଭୋଜି

ଆସିଲାଣି ପର୍ଯ୍ୟଟନ ଋତୁ। ଆରମ୍ଭ ହୋଇଗଲାଣି ବଣଭୋଜି ଆସର। ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ରେ ଲୋକମାନେ ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ନେଇ ବଣଭୋଜିର ମଜା ନେଉଛନ୍ତି।

ଆସିଲାଣି ପର୍ଯ୍ୟଟନ ଋତୁ। ଆରମ୍ଭ ହୋଇଗଲାଣି ବଣଭୋଜି ଆସର। ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ରେ ଲୋକମାନେ ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ନେଇ ବଣଭୋଜିର ମଜା ନେଉଛନ୍ତି। ରାଜଧାନୀ ତଥା ଏହାର ଆଖପାଖରେ ଥିବା ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକରେ ବଣଭୋଜି ପାଇଁ ଲୋକଙ୍କ ଗହଳି ଆରମ୍ଭ ହୋଇଗଲାଣି। ସୁବିଧା ପାଇଁ କର୍ତୃକ୍ଷମାନେ ଆବଶ୍ୟକ ପ୍ରସ୍ତୁତି ବି କରିଛନ୍ତି। ରାଜଧାନୀରେ ଖୁବ୍‌ କମ୍‌ ପିକ୍‌ନିକ୍‌ ସ୍ପଟ୍‌ ଥିବାରୁ ସେ ସବୁର ଚାହିଦା ଢେର୍‌ ଅଧିକ ରହିଛି। ସହରର ପ୍ରମୁଖ ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା

ଧଉଳି
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡ଼ରେ ପଡ଼େ ଧଉଳି। ଧଉଳି ଶାନ୍ତିସ୍ତୂପରେ ବର୍ଷ ତମାମ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼। ବିଶେଷ କରି ଶୀତ ଦିନେ ଏହି ପାହାଡ଼ ପାଦଦେଶରେ ସାଙ୍ଗସାଥୀ ମେଳରେ ବଣଭୋଜି କରିବାର ଅନୁଭୂତି ନିଆରା। ପାହାଡ଼ ପାଦଦେଶ ବ୍ୟତୀତ ବହିରଙ୍ଗେଶ୍ୱର ମନ୍ଦିର ପାଖ ଦୟା ନଦୀ ଘାଟରେ, ଧଉଳି କଳିଙ୍ଗ ମହୋତ୍ସବ ହେଉଥିବା ଜାଗା ପାଖରେ ମଧ୍ୟ ବଣଭୋଜି କରିହେବ। ଏଠାରେ ବଣଭୋଜି ପାଇଁ ବିସ୍ତୃତ ସ୍ଥାନ ପଡ଼ିଛି। କେବଳ ଆଗୁଆା ଯାଇ ଜାଗା ଚିହ୍ନଟ କରିବା ଆବଶ୍ୟକ। ଏଠାରେ ଭୋଜି କରିବାକୁ ‌ଛୋଟ, ବଡ଼ ହୋଇ ୧୦ଟି ପିଣ୍ଡି ରହିଥିବା ବେଳେ ବଡ଼ ପିଣ୍ଡି ପାଇଁ ୫୦୦ ଟଙ୍କା ଓ ଛୋଟ ପିଣ୍ଡି ପାଇଁ ୩୦୦ ଟଙ୍କା ଦେବାକୁ ପଡ଼ିଥାଏ। ନିକଟସ୍ଥ ଦୋକାନରେ ରୋଷେଇ ସରଞ୍ଜାମ ମିଳିଯାଇଥାଏ। ଏଥିସହ ପାନୀୟ ଜଳ ଓ ଶୌଚାଳୟର ମଧ୍ୟ ଏଠାରେ ସୁବିଧା ରହିଛି। ବଣଭୋଜି ସହ ଶାନ୍ତିସ୍ତୂପ, ଶାନ୍ତି ପାର୍କ, ହାତୀ ପାର୍କ ଓ ଅଶୋକଙ୍କ ଶିଳାଲିପି ଆଦି ଦେଖିବାର ମଜା ନିଆରା। ପୁଣି ସଂଧ୍ୟା ବେଳେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’କୁ ମଧ୍ୟ ଉପଭୋଗ କରି ହେବ।

ଶିଖରଚଣ୍ଡୀ
ସହର ଭିତରେ ଏକ ପ୍ରମୁଖ ପିକ୍‌ନିକ୍‌ ସ୍ପଟ୍‌ର ମାନ୍ୟତା ପାଇଛି ଶିଖରଚଣ୍ଡୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାହାଡ଼ ସାଙ୍ଗକୁ ମା’ ଶିଖରଚଣ୍ଡୀଙ୍କ ଆସ୍ଥାନ, ଭିନ୍ନ ଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ପକ୍ଷୀ, ପାହାଡ଼ ଶିଖରରୁ ସହରର ସୌନ୍ଦର୍ଯ୍ୟ ଉପଭୋଗ ସୁଯୋଗ ସହ ହନୁମାନ ମନ୍ଦିର ଆଦି ବର୍ଷବର୍ଷ ଧରି ପର୍ଯ୍ୟଟକଙ୍କୁ ଟାଣି ନେଉଛି। ସ୍ଥାନଟି କିଛି ସମୟ ନିରୋଳାରେ କାଟିବା ପାଇଁ ଯେତିକି ଉତ୍କୃଷ୍ଟ, ବଣଭୋଜି ପାଇଁ ମଧ୍ୟ ସେତିକି ଉପଯୁକ୍ତ। ବଣଭୋଜି ପାଇଁ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ। ଏହି ପାହାଡ଼କୁ ଲାଗି ରହିଥିବା ଜଙ୍ଗଲ ମଧ୍ୟରେ ୪୫ଟି ପିଣ୍ଡି ରହିଛି। ପିଣ୍ଡି ପିଛା ୨୦୦ ଟଙ୍କା ଦେୟ ଦେବାକୁ ପଡ଼ୁଥିବା ବେଳେ ପାଖରେ ଖୁବ୍‌ କମ୍‌ ଦାମ୍‌ରେ ରୋଷେଇ ସରଞ୍ଜାମ ମିଳି ଯାଉଛି। ପ୍ରତି ପିଣ୍ଡିରେ ପାନୀୟ ଜଳର ବ୍ୟବସ୍ଥା ରହିଛି। ଏଠାକୁ ପ୍ରବେଶ କରିବାକୁ ପ୍ରବେଶ ଶୁଳ୍କ ଦେବାକୁ ପଡ଼େ ନାହିଁ। ବଣଭୋଜି ଋତୁରେ ହଜାର ହଜାର ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁଲିସ ପାଟ୍ରୋଲିଂର ବ୍ୟବସ୍ଥା ମଧ୍ୟ ରହିଛି।

ଡେରାସ ଓ ଝୁମୁକା
ରାଜଧାନୀର ସବୁଠାରୁ ଲୋକପ୍ରିୟ ପିକ୍‌ନିକ୍‌ ସ୍ପଟ୍‌ ହେଲା ଡେରାସ ଓ ଝୁମୁକା। ଚନ୍ଦକା ଅଭୟାରଣ୍ୟ ପରିସୀମା ଭିତରେ ଡେରାସ ଥିଲା ବେଳେ ଝୁମୁକା ତାହା ନିକଟରେ ରହିଛି। ଚନ୍ଦକା ଅଭୟାରଣ୍ୟକୁ ପ୍ରବେଶ ପାଇଁ ଗୋଡ଼ିବାରି ସହ ଡେରାସ ହେଉଛି ଏକ ପ୍ରବେଶ ପଥ। ଡେରାସର ମୁଖ୍ୟ ଫାଟକ ନିକଟରେ ବଣଭୋଜି ପାଇଁ ଚନ୍ଦକା ଅଭୟାରଣ୍ୟ କତ୍ତୃର୍ପକ୍ଷ ସ୍ୱତନ୍ତ୍ର ଭାବେ ପିଣ୍ଡି ନିର୍ମାଣ କରିଛନ୍ତି। ବରମୁଣ୍ଡାସ୍ଥିତ ଚନ୍ଦକା ଅଭୟାରଣ୍ୟ କାର୍ଯ୍ୟାଳୟ କିମ୍ବା ଡେରାସ ପ୍ରବେଶ ପଥରେ ପିଣ୍ଡି ବୁକିଂ କରିହେବ। ଏଠାରେ ରହିଛି ସାନ, ବଡ଼ ହୋଇ ୨୦ଟି ପିଣ୍ଡି। ବଡ଼ ପିଣ୍ଡି ପାଇଁ ୫୦୦ ଟଙ୍କା ଓ ସାନ ପିଣ୍ଡି ପାଇଁ ୩୦୦ ଟଙ୍କା ଲେଖାଏ ଦେବାକୁ ପଡ଼ିଥାଏ। ଚନ୍ଦକା ବନବିଭାଗ କର୍ତୃପକ୍ଷ ପିଣ୍ଡିର ଦାୟିତ୍ବ ଭଗବତୀପୁର ଗ୍ରାମ କମିଟିକୁ ଦେଇଛନ୍ତି। ଏହାବାଦ୍‌ ଅଭୟାରଣ୍ୟ ଭିତରକୁ ଯିବା ନିମ‌ନ୍ତେ ପ୍ରବେଶ ଶୁଳ୍କ ଅଲଗା ରହିଛି। ଜଣକ ପିଛା ପ୍ରବେଶ ଶୁଳ୍କ ୪୦ ଟଙ୍କା ରହିଥିବା ବେଳେ ଗ୍ରୁପ୍‌ରେ ଗଲେ ଜଣକା ୨୦ଟଙ୍କା ଦେବାକୁ ହୁଏ। ସେହିଭଳି ଛାତ୍ରଛାତ୍ରୀଙ୍କ ପାଇଁ ଆଇକାର୍ଡ ବାଧ୍ୟତାମୂଳକ ହୋଇଥିବା‌ ବେଳେ ଜଣେ ଗଲେ ୨୦ଟଙ୍କା ଓ ଗ୍ରୁପ୍‌ରେ ଗଲେ ୧୦ଟଙ୍କା ଲେଖାଏଁ ଦେବାକୁ ପଡ଼େ। ଡେରାସରେ ପ୍ରାକୃତିକ ପରିବେଶ ମଧ୍ୟରେ ଭୋଜି ଭାତ ସହ ଜଙ୍ଗଲ ସଫାରି, ବୋଟିଂ, ନେଚର କ୍ୟାମ୍ପ, କଟେଜ, ହାତୀଆଶୁଣି ଠାକୁରାଣୀ ମନ୍ଦିର ଓ ବାଉଁଶଘର ଆଦି ବୁଲି ହେବ। ବୋଟିଂ ଅଧ ଘଣ୍ଟା ପାଇଁ ୯ ଜଣଙ୍କୁ ୯୦୦ ଟଙ୍କା ଦେୟ ଦେବାକୁ ହୋଇଥାଏ। ଅନ୍ୟପଟେ ଝୁମୁକାରେ ମଧ୍ୟ ୨୦ଟି ପିଣ୍ଡି ରହିଛି। ‌ବଡ଼ ପିଣ୍ଡିର ବାବଦକୁ ୫୦୦ ଟଙ୍କା ଓ ଛୋଟ ପିଣ୍ଡି ପାଇଁ ୩୦୦ ଟଙ୍କା ଦେୟ ଦେବାକୁ ପଡ଼େ। ଏଠାରେ ଡେରାସ ଭଳି ବୁଲିବାକୁ ସୁବିଧା ନଥିଲେ ମଧ୍ୟ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନୋରମ।

ବଟାନିକାଲ୍‌ ଗାର୍ଡେନ
ନନ୍ଦନକାନନସ୍ଥିତ ବଟାନିକାଲ ଗାର୍ଡେନ ବଣଭୋଜି ପାଇଁ ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିପାରୁଛି। ଉଭୟ ଭୁବନେଶ୍ୱର ଓ କଟକର ଲୋକମାନଙ୍କ ପସନ୍ଦର ଜାଗା ପାଲଟିଯାଇଛି ବଟାନିକାଲ୍‌ ଗାର୍ଡେନ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ବୁଲିବା ସହ ବଣଭୋଜିର ମଜା ନେବାକୁ ଶୀତ ଦିନେ ଲୋକମାନେ ଏଠାରେ ଭିଡ଼ ଜମାନ୍ତି। ବଟାନିକାଲ୍‌ ଗାର୍ଡେନରେ ବଣଭୋଜି ସହ ସାଙ୍ଗସାଥୀଙ୍କ ମେଳରେ କିଛି ସମୟ କାଟିବା ଓ ବୁଲିବା ପାଇଁ ଢେର୍‌ ମନୋରମ ଜାଗା ରହିଛି। ରୋଷେଇ କରିବା ପାଇଁ ଏଠାରେ ସମସ୍ତ ସୁବିଧା ଉପଲବ୍ଧ। କିଛି ପିଣ୍ଡି ମଧ୍ୟ ରହିଛି। ପିଣ୍ଡିର ଆକାର ଅନୁଯାୟୀ ଦର ୩୦୦ରୁ ୧୬୦୦ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ। ଗାର୍ଡେନ ମଧ୍ୟକୁ କାଠ ଚୁଲି ନେବାର ଅନୁମତି ନାହିଁ। ସେଥିପାଇଁ ଗ୍ୟାସ ନେଇ ରୋଷେଇ କରିବାକୁ ପଡ଼ିଥାଏ। ବଣଭୋଜି ସମୟରେ ବିଶୃଙ୍ଖଳାକୁ ନଜରରେ ରଖି ପୁଲିସ ମୁତୟନ କରାଯିବା ସହ ନନ୍ଦନକାନନ କର୍ତୃପକ୍ଷଙ୍କ ଦ୍ୱାରା କିଛି ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଏହା ମଧ୍ୟକୁ ପ୍ରବେଶ କରିବାକୁ ଜଣକା ୨୦ ଟଙ୍କା, ବାଇକ୍‌ ଓ ତିନିଚକିଆ ଯାନ ପ୍ରବେଶ ୩୦ ଟଙ୍କା ଓ ଚାରିଚକିଆ ପାଇଁ ୧୦୦ ଟଙ୍କା ରହିଛି।

ଜୟଦେବ ବାଟିକା
ରାଜଧାନୀ ଭିତରେ ଏକ ପିକ୍‌ନିକ୍‌ ସ୍ପଟ୍‌ ନିର୍ମାଣ କରିବା ଲକ୍ଷ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ‘ଜୟଦେବ ବାଟିକା’ ନିର୍ମାଣ କରାଯାଇଛି। ଖଣ୍ଡଗିରିଠାରୁ କମ୍‌ ଦୂରରେ ଥିବା ଏହି ସ୍ଥାନଟିକୁ ବହୁ ସଂଖ୍ୟାରେ ଲୋକ ବଣଭୋଜି ପାଇଁ ଯା’ନ୍ତି। ସୁନ୍ଦର ସୁନ୍ଦର ଗଛର ସମାରୋହ, ତା’ ସାଙ୍ଗକୁ ଘଞ୍ଚ ଜଙ୍ଗଲ ବଣଭୋଜି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରେ। ଖାଲି ନୂଆବର୍ଷ କିମ୍ବା ବଣଭୋଜି ଋତୁ ନୁହେଁ, ବର୍ଷର ବିଭିନ୍ନ ସମୟରେ ଏଠାରେ ଭୋଜିଭାତ ଚାଲେ। କବି ଜୟଦେବଙ୍କ ନାମରେ ଏହି ସ୍ଥାନ ନାମିତ। ବଣଭୋଜି ପାଇଁ ଏଠାରେ ଛୋଟ ବଡ଼ ୩୦ଟି ପିଣ୍ଡି ରହିଛି। ପିଣ୍ଡି ପିଛା ୨୦୦୦ ଟଙ୍କା ଦେୟ ରହିଥିବା ବେଳେ ବାହାରେ ୧୨୦ଟି ଭୋଜି ସ୍ଥାନ ରହିଛି। ଏଠାରେ ଭୋଜି କଲେ ୧ ହଜାର ଟଙ୍କା ଦେୟ ଦେବାକୁ ପଡ଼ିଥାଏ। ଏଥିସହ ଏଠାରେ ଥିବା କନ୍‌ଫରେନ୍ସ ହଲ୍‌ ବୁକ୍‌ କଲେ ୩ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ପ୍ରବେଶ ଶୁକ୍ଳ ପାଇଁ ଅଲଗା ଦେୟ ଦେବାକୁ ପଡ଼େ। ଜଣକୁ ୩୦ ଟଙ୍କା ଓ ବାଇକ ପ୍ରବେଶକୁ ୩୦ ଟଙ୍କା ଲେଖାଏ ରହିଥିବା ବେଳେ ୩ ଚକିଆ ଯାନ ପାଇଁ ୫୦ ଟଙ୍କା ଓ ୪ ଚକିଆ ଯାନ ପାଇଁ ୧୦୦ ଟଙ୍କା ଦେୟ ଦେବାକୁ ପଡ଼େ। ଏଠାରେ ଭିଡିଓ ସୁଟିଂ କଲେ ୧ ହଜାର ଟଙ୍କାରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ। ଏଠାକୁ ଭୋଜି କରି ଗଲେ ପର୍ଯ୍ୟଟକମାନେ ୨ଟି ଜଳପ୍ରପାତ ସହ ଦୋଳି, ଫୁଲ ଉଦ୍ୟାନ, ଝରଣା, ଔଷଧୀୟ ଉଦ୍ୟାନ ଓ ଜଙ୍ଗଲ ଆଦିଉପଭୋଗ କରିପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.