ବଲିଉଡର ଆକ୍ସନ୍ ଷ୍ଟାର ତଥା ଫିଟନେସ୍ ଆଇକନ୍ ବିଦ୍ୟୁତ୍ ଜମୱାଲ୍ ଏବଂ ଫ୍ୟାଶନ୍ ଡିଜାଇନର୍ ନନ୍ଦିତା ମହତାନି ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ପ୍ରେମର ପ୍ରତୀକ ତାଜମହଲ ସାମ୍ନାରେ ଦୁହେଁ ୨୦୨୧ ମସିହାରେ ନିର୍ବନ୍ଧ କରିଥିଲେ। କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବନ୍ଧର ଦୁଇ ବର୍ଷ ପରେ ଉଭୟ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ଡିଆନ୍ ପାଣ୍ଡେଙ୍କ ଝିଅ ଅଲାନା ପାଣ୍ଡେଙ୍କ ହଲଦୀରେ ବିଦ୍ୟୁତ ଏବଂ ନନ୍ଦିତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ ଦୁହେଁ ପରସ୍ପରଠାରୁ ଦୂରତା ବଜାୟ ରଖିଥିଲେ। ନିର୍ବନ୍ଧ ଭାଙ୍ଗିବା ପଛର କାରଣ ସାମ୍ନାକୁ ଆସିନଥିଲେ ବି ଉଭୟ ପରସ୍ପରର ଭଲ ବନ୍ଧୁ ହୋଇ ରହିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଏହି ପ୍ରେମୀଯୁଗଳ ଆଗ୍ରାର ତାଜମହଲରେ ନିର୍ବନ୍ଧ କରିଥିଲେ। ବିଦ୍ୟୁତ୍ ମୁଦି ପିନ୍ଧାଇ ନନ୍ଦିତାଙ୍କ ସହ ନିର୍ବନ୍ଧ କରିଥିବାର ଫଟୋ ଭାଇରାଲ ହୋଇଥିଲା। ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଫଟୋରେ ନନ୍ଦିତାଙ୍କ ହାତରେ ଥିବା ବଡ ହୀରା ମୁଦି ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।