ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। କେପଟାଉନ୍ ଟେଷ୍ଟକୁ ୭୨ ରନ୍ରେ ହାରିଥିବା ଭାରତ ସେଞ୍ଚୁରିଅନ୍ରେ ଖେଳା ଯାଇଥିବା ଦ୍ୱିତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମୁକାବିଲାରେ ଶୋଚନୀୟ ପରାଜୟ ବରଣ କରିଛି। ଏହି ଟେଷ୍ଟକୁ କୋହଲି ବାହିନୀ ଲଜ୍ଜାଜନକ ଭାବେ ୧୩୫ ରନ୍ର ବୃହତ୍ ବ୍ୟବଧାନରେ ହାରି ଯାଇଛି।
ଅଧିନାୟକ ବିରାଟ କୋହଲିଙ୍କ ବିବାହ ପରର ପ୍ରଥମ ଶୃଙ୍ଖଳାକୁ ହାରି ଭାରତ ୯ ଶୃଙ୍ଖଳା ବିଜୟ ଧାରାକୁ ବି ହାତଛଡ଼ା କରିଛି। ବ୍ୟକ୍ତିଗତ ଭାବେ କୋହଲି ତାଙ୍କ ପୂର୍ଣ୍ଣକାଳୀନ ନେତୃତ୍ୱ ଅଧ୍ୟାୟରେ ପ୍ରଥମ ଶୃଙ୍ଖଳା ପରାଜୟ ବରଣ କରିଛନ୍ତିି। ସେହିଭଳି ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କେବେ ବି ଶୃଙ୍ଖଳା ଜିତି ନଥିବା ଭାରତୀୟ ଦଳ ଚଳିତ ଥରର ସୁଯୋଗକୁ ବି ବୃଥା ଯିବାକୁ ଦେଇଛି। ୩ ଟିକିଆ ଶୃଙ୍ଖଳାକୁ ୨-୦ରେ ହାରିବା ପରେ ୨୪ ତାରିଖରୁ ଜୋହାନେସବର୍ଗର ନ୍ୟୁ ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଟେଷ୍ଟ ଭାରତ ପାଇଁ ସମ୍ମାନ ରକ୍ଷାର ଶେଷ ସୁଯୋଗ ହୋଇଛି। ସେପଟେ ଦକ୍ଷିଣ ଆଫ୍ରିକା ୨୦୧୫ରେ ଭାରତ ଆସି ୦-୩ରେ ଶୃଙ୍ଖଳା ହାରିବାର ମଧୁର ପ୍ରତିଶୋଧ ନେଇଛି।
ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ୨୮୭ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ମଙ୍ଗଳବାର ଚତୁର୍ଥ ଦିବସର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୩୫ ରନ୍ କରିଥିବାରୁ ବୁଧବାର ପଞ୍ଚମ ଦିନର ପିଚ୍ରେ ବିଜୟ ପାଇଁ ତାକୁ ଆଉ ୨୫୪ ରନ୍ର ଦରକାର ଥିଲା। ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲରଙ୍କ ଆଗରେ ବିନା ଲଢ଼େଇରେ ହାତଟେକି ଦେଇଥିଲେ। ଫଳରେ ଭ୍ରମଣକାରୀ ଭାରତ ଆଉ କେବଳ ୧୧୬ ରନ୍ ଯୋଡ଼ି ବଳକା ୭ ଓ୍ଵିକେଟ୍ ହରାଇଥିଲା।
ଦ୍ୱିତୀୟ ପାଳିରେ ଦଳ ମୋଟ ୫୦.୨ ଓଭର ଖେଳି ସମସ୍ତ ଓ୍ଵିକେଟ୍ ବିନିମୟରେ ୧୫୧ ରନ୍ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୧୩୫ ରନ୍ରେ ବିଜୟୀ ହୋଇଥିଲା। ଗତକାଲି ୨୩ ଓଭର ଖେଳିଥିବା ଭାରତ ଆଜି ମାତ୍ର ୨୭.୨ ଓଭର ଖେଳି ପାରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୭ ରନ୍ କରିଥିଲେ। ଅନ୍ୟ ପକ୍ଷରେ ପଦାର୍ପଣକାରୀ ଲୁଙ୍ଗି ଏନ୍ଗିଡି ଦକ୍ଷିଣ ଆଫ୍ରିକା ତରଫରୁ ସର୍ବାଧିକ ୬ ଓ୍ଵିକେଟ୍ କରାୟତ କରିଥିଲେ।
ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍ କରିଥିଲା। ଅଧିନାୟକ କୋହଲିଙ୍କ ୧୫୩ ରନ୍ର ଚିତାକର୍ଷକ ପାଳି ସତ୍ତ୍ୱେ ଭାରତ ୩୦୭ ରନ୍ କରି ୨୮ ରନ୍ରେ ପଛୁଆ ରହିଥିଲା। ବୁଧବାର ଖେଳ ଆରମ୍ଭର ମାତ୍ର ୬.୫ ଓଭର ଭିତରେ ଦକ୍ଷିଣ ଆଫ୍ରିକା ବୋଲର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୧୯) ଏବଂ ପାର୍ଥବ ପଟେଲଙ୍କୁ ପାଭିଲିୟନ ଫେରାଇ ଦେଇଥିଲା। ପୂଜାରା ରନ୍ ଆଉଟ୍ ହୋଇଥିଲା ବେଳେ ପାର୍ଥିବ କାଗିସୋ ରବାଦାଙ୍କ ଶିକାର ହୋଇଥିଲେ। ରୋହିତ ଶର୍ମା (୪୭ ରନ୍, ୭୪ ବଲ୍, ୬ ଚୌକା, ୧ ଛକା) ଏବଂ ମହମ୍ମଦ ସାମି (୨୮ ରନ୍, ୨୪ ବଲ୍, ୫ ଚୌକା) କେତେକ ଦର୍ଶନୀୟ ସଟ୍ ଖେଳି ଦକ୍ଷିଣ ଆଫ୍ରିକା ବିଜୟକୁ ସାମାନ୍ୟ ବିଳମ୍ବିତ କରିଥିଲେ। ହେଲେ ଏନଗିଡି ଶେଷ ଓ୍ଵିକେଟ୍ ଭାବେ ଯଶ୍ପ୍ରୀତ ବୁମରାଙ୍କୁ ଭର୍ନାନ ଫିଲାଣ୍ଡରଙ୍କ ହାତରେ କ୍ୟାଚ୍ କରାଇ ଦକ୍ଷିଣ ଆଫ୍ରିକା ପାଇଁ ବିଜୟର ଔପଚାରିକତା ପୂରଣ କରିଥିଲେ।
ପଢନ୍ତୁ ;
ବାସ୍ତୁଶାସ୍ତ୍ର ଅନୁସାରେ କାହାରିକୁ ଏହି ସବୁ ଜିନିଷ ଉପହାରରେ ଦିଅନ୍ତୁ ନାହିଁ