ରାଜ୍ୟରେ ଶସ୍ତା ହେବାକୁ ଯାଉଛି ବିଦେଶୀ ମଦ। ନୂତନ ଅବକାରୀ ନୀତି(୨୦୨୨-୨୩)ରେ ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପଡ଼ୋଶୀ ରାଜ୍ୟ ସହ ଆମ ରାଜ୍ୟରେ ଥିବା ଦର ପ୍ରଭେଦକୁ ଦୂର କରିବା ଓ ଉତ୍ତମମାନର ମଦ ଯୋଗାଇବା ପାଇଁ ଏହି ଶୁଳ୍କ ହ୍ରାସ ହୋଇଥିବା କୁହାଯାଇଛି। ତେବେ ଆମ ରାଜ୍ୟରେ ତିଆରି ହେଉଥିବା ବିଦେଶୀ ମଦ(ଆଇଏମ୍ଏଫ୍ଏଲ୍) ଉପରେ ଶୁଳ୍କ ଅପରିବର୍ତ୍ତିତ ରହିଛି। ଏଣୁ ଆଇଏମ୍ଏଫ୍ଏଲ୍ ଶସ୍ତା ହେବ ନାହିଁ। ପୂର୍ବରୁ ବିଦେଶରେ ତିଆରି ମଦର ଦର ଉଚ୍ଚା ରହୁଥିଲା। ଏହାକୁ ସାଧାରଣ ଗ୍ରାହକ ଉପଭୋଗ କରିପାରୁନଥିଲେ। ନୂଆ ନୀତିରେ ନାଗରିକଙ୍କର ସ୍ବାସ୍ଥ୍ୟ ପ୍ରତି ସରକାର ଯତ୍ନବାନ୍ ହୋଇ ସାଧାରଣ ଗ୍ରାହକ ଯେଭଳି କମ୍ ଦାମ୍ରେ ଉତ୍ତମ ମାନର ମଦ ପାଇପାରିବେ ସେ ବ୍ୟବସ୍ଥା କରିଛନ୍ତି।
ନୂଆ ନୀତିରେ ଲାଇସେନ୍ସ ଫି, ଏମ୍ଜିକ୍ୟୁ(ମିନିମମ୍ ଗ୍ୟାରେଣ୍ଟେଡ୍ କୋଟା), ପ୍ରସ୍ତୁତକାରୀ ସଂସ୍ଥା, ଯୋଗାଣକାରୀ ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଦେୟ ବଢ଼ିଛି। ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପ୍ରିମିୟମ ଅଫ୍ ସପ୍ ଖୋଲାଯିବାକୁ ମଧ୍ୟ ବ୍ୟବସ୍ଥା ରହିଛି। ସେହିଭଳି ମାଇକ୍ରୋ ବ୍ରେଭେରି ପଲସି ମଧ୍ୟ ପରିବର୍ତ୍ତନ ହୋଇଛି। ରେସ୍ତୋରାଁ ବିନା ବର୍ଷକୁ ୫ ଲକ୍ଷ ହିସାବରେ ଠିପି ଖୋଲା ମଦ ଦୋକାନ(ଅନ୍ ସପ୍) ଖୋଲିବାର ସୁଯୋଗ ସୃଷ୍ଟି କରାଯାଇଛି। ପୂର୍ବରୁ ରେସ୍ତୋରାଁ ବିନା ଏହି ଅନ୍ ସପ୍ ଖୋଲା ଯାଇ ପାରୁନଥିଲା। ସେହିଭଳି ବାର୍ ଲାଇସେନ୍ସ ଦେୟ ମଧ୍ୟ କମ୍ କରାଯାଇଛି। ସେହିଭଳି ପରମିଟ୍, ପାସ୍, ଲାଇସେନ୍ସ, ଦେୟ ପ୍ରଦାନ ପ୍ରଭୃତି ୫ଟି ଅଧୀନରେ ରହିବ।