୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜୟପୁରକୁ ସରକାରୀ ଗସ୍ତ ସମୟରେ ସଭା ମଂଚରୁ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଗୁଣଗାନ ସହ ଯେଉଁ କିଛି ଦାବି ସେ ନିଜ ଭାଷଣରେ ରଖିଥିଲେ ତାକୁ ପୂରଣ ଦିଗରେ ସରକାରଙ୍କ ଦ୍ୱାରା ତତ୍କାଳ ପଦକ୍ଷେପ ନିଆଯିବା ଏବଂ ବିଶେଷକରି ବିଜେଡିର ବରିଷ୍ଠ ନେତା ରବି ନାରାୟଣ ନନ୍ଦଙ୍କୁ ମଂଚରୁ ଠେଲି ବିଦା କରାଯିବା ଘଟଣା ହିଁ ତାରାଙ୍କ ବିଜେଡିରେ ମିଶିବା ନିମନ୍ତେ ଚାଲିଥିବା କ୍ଷେତ୍ର ପ୍ରସ୍ତୁତିର ଅଂଶବିଶେଷ ବୋଲି ଚର୍ଚ୍ଚା । ଆଉ ତାରାଙ୍କ ଏଭଳି ଆଭିମୁଖ୍ୟ ପରେ କୋରାପୁଟ କଂଗ୍ରେସରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ କଂଗ୍ରେସ ନେତାମାନେ ଖୋଲାଖୋଲି ଭାବେ ତାରାଙ୍କ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋରାପୁଟ ଗସ୍ତରେ ଯାଇ ପ୍ରାୟ ୧୬୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ସାମିଲ ହୋଇଥିଲେ । ସାଧାରଣତଃ ଯାହା ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେନି ସେଭଳି ଦୃଶ୍ୟ ପ୍ଲାଟିନମ ଜୁବୁଲି ଉତ୍ସବରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସ୍ଥାନୀୟ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ମାତ୍ରାଧିକ ଗୁରୁତ୍ୱ ମିଳିଥିଲା । ତାରା ନିଜ ଭାଷଣରେ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ବିକ୍ରମଦେବ କଲେଜକୁ ଗୋଟିଏ ଅଡ଼ିଟୋରିୟମ, ଗୁପ୍ତେଶ୍ୱର ମନ୍ଦିରର ଉନ୍ନତିକରଣ, ଦମୟନ୍ତୀ ସାଗର ଓ ଜଗନ୍ନାଥ ସାଗରର ଉଦ୍ଧାର ଆଦି ନିମନ୍ତେ ଦାବି କରିଥିଲେ ।