କାର୍ତ୍ତିକ ମାସର ପଞ୍ଚୁକ ପର୍ବ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ବାବା ଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେବ ଭର୍ଚୁଆଲ୍ ଦର୍ଶନ ବ୍ୟବସ୍ଥା। କିନ୍ତୁ, ପୂଜକମାନଙ୍କ ବିରୋଧ ଯୋଗୁଁ ଏବେ ଆଉ ଝୁଲା ପୋଲ ନିକଟରେ ଏଲ୍ଇଡି ଲାଗିବା ବ୍ୟବସ୍ଥା କରା ନଯାଇ ମୁଖ୍ୟ ପ୍ରବେଶ ପଥ, ପାଇକରାପୁର ଛକରେ ଲାଗିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଏହି ପରଦା ମାଧ୍ୟମରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ବରଙ୍କ ବଡ଼ ସିଂହାର ବେଶ ଆସନ୍ତାକାଲିଠାରୁ ଦର୍ଶନ କରିପାରିବେ। ଏହାସହିତ ଝୁଲାପୋଲ ପାର୍ଶ୍ବବର୍ତ୍ତୀ ସ୍ଥାନରେ ଗଜ ଭୋଗ ଅଥବା ଶୁଖିଲା ଭୋଗ ମିଳିବନି କି ସେଠାରେ କୌଣସି ଦୋକାନ ମଧ୍ୟ ଖୋଲାଯିବନି। ଶ୍ରଦ୍ଧାଳୁମାନେ କେବଳ ପୂଜକମାନଙ୍କ ମାଧ୍ୟମରେ ଗଜ ଭୋଗ ଅଥବା ଶୁଖିଲା ଭୋଗ ପାଇପାରିବେ। ଯେଉଁସବୁ ଦୋକାନ ଖୋଲିବ, ତାହା ମୁଖ୍ୟ ରାସ୍ତା କଡରେ ଖୋଲାଯିବ। ଧବଳେଶ୍ବର ପୀଠରେ ନିଆଯାଇଥିବା ଏଭଳି ପଦକ୍ଷେପ ସଂପର୍କରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେବା ସହିତ ନବଦୋଳ ଯାତ୍ରା ପଡ଼ିଆରେ ଆସନ୍ତା ୫ରୁ ୭ତାରିଖ ତିନିଦିନ ଧରି ସଂସ୍କୃତି ବିଭାଗ ପକ୍ଷରୁ ଭଜନ ସମାରୋହ ହେବ ବୋଲି ସୂଚନା ଦେଇଛନ୍ତି।