୩ ବର୍ଷ ପରେ ଏଥର ଖଣ୍ଡଗିରି ମେଳାରେ ସୋମବାରରୁ ଜମିବ ଅସଲ ଭିଡ଼। କିନ୍ତୁ ଏବେ ଯାତ୍ରା କମିଟିଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହେଉଛି ବିଜୁଳି ଦର। ପ୍ରତି କମିଟି ପିଛା ଦେବାକୁ ପଡ଼ିବ ପାଖାପାଖି ଲକ୍ଷେ ଟଙ୍କା। ସେହିପରି ଭିଡ଼ ନିୟନ୍ତ୍ରଣ, ଫାୟାର ସେଫ୍ଟିକୁ ନଜରରେ ରଖି ଏଥର ପୂର୍ବ ବର୍ଷଗୁଡ଼ିକ ତୁଳନାରେ ସିଟ୍ ସଂଖ୍ୟା କମ୍ ପଡ଼ୁଛି। ସେହିଭଳି ଗ୍ରାହକଙ୍କ ପାଇଁ ଟିକେଟ ଦର ମଧ୍ୟ ବୃଦ୍ଧି କରାଯାଇନାହିଁ। ଯାହା ଏବର୍ଷ କମିଟିସବୁକୁ ଚିନ୍ତାରେ ପକାଇଲାଣି। କୌଣସି ପରିସ୍ଥିତିରେ ଟିକେଟ ଦର ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଥିବା ୬ଟି କମିଟି ଏବେ ମୁଣ୍ଡରେ ହାତ ଦେଲେଣି। କମିଟିମାନଙ୍କ କହିବା କଥା ୩ ବର୍ଷ ତଳେ ବିଜୁଳି ବାବଦକୁ ୪୦ରୁ ୪୫ ହଜାର ଟଙ୍କା ଦେବାକୁ ପଡ଼ୁଥିଲା।
ଏଥର କିନ୍ତୁ ପ୍ରତି କମିଟିକୁ ସିକ୍ୟୁରିଟି ଡିପୋଜିଟ୍ ବାବଦକୁ ୫୫ ହଜାର ୨୩୧ ଟଙ୍କା, ପ୍ରୋସେସିଂ ଫି ୨ଶହ ଟଙ୍କା, କନେକ୍ସନ ଚାର୍ଜ ବାବଦକୁ ୧୨ ହଜାର ଟଙ୍କା, ଏଷ୍ଟିମେଟ୍ ଚାର୍ଜ ଡିପୋଜିଟ ବାବଦକୁ ୩୪ ହଜାର ଟଙ୍କା ଓ ସେସ୍ ବାବଦକୁ ୪୦୦ ଟଙ୍କା ସହ ଜିଏସ୍ଟି ମିଶାଇ ପ୍ରତି କମିଟିକୁ ୯୭ ହଜାର ୪୦୩ ଟଙ୍କା ଦେବାକୁ ହେବ। ଯାହା ଦେବା କଷ୍ଟକର। ଏହାପରେ ବିଭିନ୍ନ ନିୟମ ଓ ସୁରକ୍ଷାକୁ ନଜର ରଖି ଯେଉଁଠି ୪ହଜାର ଚେୟାର ପଡ଼ୁଥିଲା, ସେଠି ୩ ହଜାରରୁ କମ୍ ଚେୟାର ପଡ଼ିବ। ତେଣୁ ସବୁ ଦିଗରୁ କ୍ଷତି ସହିବାକୁ ପଡ଼ିବ।